ଗ୍ରେଟର୍ ନଇଡ଼ା: ଶୁକ୍ରବାର ଦିନ ଦୁଇଟି ପୃଥକ୍ ଘଟଣାରେ ଦୁଇ ଜଣ ସମାଜବାଦୀ ପାର୍ଟିର ନେତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି।
ସକାଳ ୯: ୩୦ ମିନିଟ୍ରେ ଜଉନପୁର ଜିଲ୍ଲା ଖ୍ଵାଜା ସରାଇ ଅଞ୍ଚଳର ସିଦ୍ଦିକିପୁର ନିକଟରେ ୪୧ ବର୍ଷିୟ ଲାଲ୍ଜି ଯାଦବଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ତାଙ୍କ ଏସ୍ୟୁଭିରେ ଶହାଗଞ୍ଜ-ଜଉନପୁର ରାସ୍ତାରେ ଯାଉଥିବା ବେଳେ ଜଣକ ସହ କଥାବାର୍ତ୍ତା କରିବାକୁ ଅଟକିଥିଲେ। ସେତିକିବେଳେ ତିନି ଜଣ ମଟରସାଇକେଲ୍ ଆରୋହୀ ତାଙ୍କ ଗାଡ଼ିକୁ ଅଟକାଇ ଗୁଳି ଚଳାଇଲେ ବୋଲି ପୁଲିସ କହିଛି।
ଯାଦବ ଜଣେ ଠିକାଦାର ଓ ତାଙ୍କ ନାମରେ ନରହତ୍ୟା ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଥିଲା। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଉଥିଲା, କିନ୍ତୁ ତାଙ୍କର ମୃତ୍ୟୁ ଘଟିଲା।
ଘଟଣାଟି ରାଜନୈତିକ ନୁହେଁ ବ୍ୟକ୍ତିଗତ ଶତ୍ରୁତା ବୋଲି ପୁଲିସ କହୁଛି।
ଗୌତମ ବୁଦ୍ଧ ନଗର ଜିଲ୍ଲାର ଦାଦ୍ରି ବିଧାନସଭା କ୍ଷେତ୍ରରେ ସମାଜବାଦୀ ପାର୍ଟିର ସମ୍ପାଦକ ରାମତେକ କଟାରିଆଙ୍କୁ ମଧ୍ୟ ସେହି ପ୍ରକାର ହତ୍ୟା କରାଯାଇଛି।
ଦିନ ପ୍ରାୟ ୧୨: ୩୦ରେ ସେ ନିର୍ମାଣ କାମ ତଦାରଖ ରକି ଜର୍ଚା ରୋଡ୍ରେ ତାଙ୍କ ଘର ପାଖାପାଖି ହୋଇଥିବା ବେଳେ ଚାରିଜଣ ମୁଖାପିନ୍ଧା ଲୋକ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ସେ ଚାରି ଅଜ୍ଞାତ ବ୍ୟକ୍ତି ଏକ କାର୍ରେ ଆସିଥିଲେ ଏବଂ କଟାରିଆଙ୍କ ଉପରକୁ ୧୦ ରାଉଣ୍ଡ୍ ଗୁଳି ଚଳାଇ ଘଟଣାସ୍ଥଳରୁ ଖସି ଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।
ଏହା ମଧ୍ୟ ବ୍ୟକ୍ତିଗତ ଶତ୍ରୁତାଜନିତ ବୋଲି ପୁଲିସ କହିଛି।
ଦୁଇଟି ଗୁଳିକାଣ୍ଡ ଘଟଣାରେ ଏଫ୍ଆଇଆର୍ ରେଜିଷ୍ଟ୍ରି ହୋଇଥିବା କଥା ପୁଲିସ କହିଛି।