୨ ନାବାଳକ ସମେତ ୫ ଗିରଫ, ବନ୍ଧୁକ ଜବତ

ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାବେଳେ ଅଭାବନୀୟ କାଣ୍ଡ

ଖଣ୍ଡଗିରି: ଆଜି ଏକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଦେଖଣାହାରୀଙ୍କ ଭିତରେ ଘଟିଥିବା ଏକ ମାର୍‌ପିଟ୍‌କୁ ନେଇ ଖଣ୍ଡଗିରି ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଭିତରେ ୨ ଜଣ ନାବାଳକ ଅଛନ୍ତି। ଅନ୍ୟ ୩ ଜଣ ହେଲେ ନୂଆପଲ୍ଲୀ ଶାସ୍ତ୍ରୀନଗରର ସୋମନାଥ ସାମଲ, ସୌଭାଗ୍ୟ ସାହୁ ଓ ଶିରିପୁର କୃଷିବିହାରର ସିଦ୍ଧାର୍ଥ ପ୍ରଧାନ। ପୁଲିସ ସୋମନାଥଠାରୁ ଏକ ୯ ଏମ୍‌ଏମ୍‌ ପିସ୍ତଲ ଜବତ କରିଛି। କିନ୍ତୁ କୌଣସି ଗୁଳି ବା କ୍ୟାଟ୍ରିଜ୍‌ ମିଳିନଥିବା ଜଣାପଡ଼ିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାନୁସାରେ ଗତକାଲି ବରମୁଣ୍ଡା ହାଉସିଂ ବୋର୍ଡ କଲୋନିସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିଲା। ପିଲାଙ୍କ ଖେଳ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଉପସ୍ଥିତ ଥିଲେ। ଏତିକିବେଳେ କୌଣସି କାରଣକୁ ନେଇ ବରମୁଣ୍ଡା ଓ ନୂଆପଲ୍ଲୀ ଅଞ୍ଚଳର ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ଘଟିଥିଲା। ବରମୁଣ୍ଡା ଅଞ୍ଚଳର ମନୋଜ ସେଠୀ ଓ ତାଙ୍କ ସହଯୋଗୀମାନଙ୍କ ସହ ନୂଆପଲ୍ଲୀ ଅଞ୍ଚଳର ସୋମନାଥ ସାମଲ ଓ ତାଙ୍କ ସହଯୋଗୀମାନଙ୍କ ଭିତରେ ମାର୍‌ପିଟ୍‌ ହୋଇଥିଲା। ଗଣ୍ଡଗୋଳରେ ଉଭୟ ଗୋଷ୍ଠୀ ପରସ୍ପରକୁ ପିଟିଥିଲେ, କିନ୍ତୁ କେହି ଥାନାରେ ଅଭିଯୋଗ କରିନଥିଲେ। ଆଜି ଉଭୟ ପକ୍ଷଙ୍କ ଭିତରେ ସମାଧାନ ପାଇଁ କଥା ସ୍ଥିର ହୋଇଥିଲା। ତେଣୁ ଦୁଇ ପକ୍ଷ ରେଣ୍ଟାଲ କଲୋନି ନିକଟସ୍ଥ ଏକ ସ୍ଥାନରେ ଏକତ୍ର ହୋଇଥିଲେ। ମାତ୍ର ସମାଧାନ ହୋଇପାରିନଥିଲ। ବରଂ ମନୋଜଙ୍କ ଅଭିଯୋଗ ଅନୁସାରେ ସୋମନାଥ ପିସ୍ତଲ ବାହାର କରି ପାଲଟା ଧମକ ଦେଇଥିଲା। ସୋମନାଥ ସହ ସୌଭାଗ୍ୟ, ସିଦ୍ଧାର୍ଥ ଓ ଅନ୍ୟ ନାବାଳକ ଦ୍ୱୟ ସମାଧାନକୁ ବେଖାତିର କରି ପାଲଟା ଗାଳିଗୁଲଜ କରିଥିଲେ। ସମାଧାନ ଚାଲିଥିବାବେଳେ ମନୋଜ ଓ ତା’ର ସହଯୋଗୀମାନଙ୍କ ଏଭଳି କାଣ୍ଡକୁ ସମସ୍ତେ ବିରୋଧ କରିଥିଲେ। ତେଣୁ ସମସ୍ତେ ମିଳିତଭାବେ ସେମାନଙ୍କୁ କାବୁ କରି ନେଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କର କାରଣ ପାଲଟିଛି। କଲେଜ ପଢ଼ୁଆ ମାନେ ପାଖରେ ପିସ୍ତଲ ରଖି ବୁଲିବା ଓ କଥା କଥାରେ ଏହି ଛୋଟ ପିଲାମାନେ ପିସ୍ତଲ ବାହାର କରୁଥିବା ଘଟଣା ସମଗ୍ର ରାଜଧାନୀରେ ହଇଚଇ ସୃଷ୍ଟି କରିଛି। ଜବତ ପିସ୍ତଲକୁ ନେଇ ଖଣ୍ଡଗିରି ଥାନା ପୁଲିସ ଅଧିକ ଖୋଳତାଡ୍‌ ଜାରି ରଖିଥିବା ସୂଚନା ମିଳିଛି। ସୋମନାଥ ବନ୍ଧୁକ କେଉଁଠୁ ପାଇଲା, ତାହାକୁ ନେଇ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର