ବିବାହ ପାଇଁ ନାବାଳିକାଙ୍କୁ ବିକ୍ରି! ୨ ଉଉଣୀ ଓ ଭାଇ ଗିରଫ

ଭୁବନେଶ୍ବରରୁ ଅପହୃତା ଝାନସୀରୁ ଉଦ୍ଧାର, ତିନି ମାସ ତଳେ ହୋଇଥିଲେ ନିଖୋଜ

ଭୁବନେଶ୍ବର: ୩ ମାସ ତଳେ ଭୁବନେଶ୍ୱରରୁ ଅପହୃତା ନାବାଳିକାକୁ କମିସନରେଟ୍‌ ପୁଲିସ ଉତ୍ତରପ୍ରଦେଶର ଝାନ୍‌ସୀରୁ ଉଦ୍ଧାର କରିଛି। ଏହାସହ ଅପହରଣରେ ସମ୍ପୃକ୍ତ ତିନି ଭାଇ ଭଉଣୀଙ୍କୁ ଗିରଫ କରିଛି। ଅପହରଣର ପ୍ରକୃତ କାରଣ ପୁଲିସ ଖୋଜୁଥିବା ବେଳେ ବିବାହ ପାଇଁ ନାବା​ଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଝାନ୍‌ସୀରେ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି। ଗିରଫ ତିନି ଭାଇ ଉଭଣୀ ହେଲେ, ଏୟାରପୋର୍ଟ ନିକଟ କାରଗିଲ ବସ୍ତିର ଝିଲି ପ୍ରଧାନ(୩୦), ତାଙ୍କ ଭଉଣୀ ମିଲି ପ୍ରଧାନ (୨୫) ଓ ଭାଇ ମଣ୍ଟୁ ପ୍ରଧାନ। ତିନି ଜଣଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଝିଲି ଓ ମିଲି ଉଭୟ ଝାନ୍‌ସୀରେ ବିବାହ କରିଥିବା ପୁଲିସ ଜାଣିବାକୁ ପାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାରଗିଲ ବସ୍ତିର ଜଣେ ନାବାଳିକା ନିଖୋଜ ନେଇ ୨୦୧୯ ଡିସେମ୍ବର ୨୯ ତାରିଖରେ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କ ବାପା-ମା’, ପଡ଼ୋଶୀଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ ନାବାଳିକାଙ୍କ ପତ୍ତା ମିଳି ନ ଥିଲା। ପ୍ରେମ ସମ୍ପର୍କ ଯୋଗୁଁ ନାବାଳିକା ଘରୁ ପଳାଇଥିବା ସନ୍ଦେହ ବି ହୋଇଥିଲା। କିନ୍ତୁ ନାବାଳିକାଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବାରୁ ପୁଲିସ ଅପହରଣ ସନ୍ଦେହରେ ତଦନ୍ତ ଆଗକୁ ବଢ଼ାଇଥିଲା। ବସ୍ତିରେ ପଚରାଉଚରା ପରେ ଝିଲି ଓ ମିଲି ଝାନ୍‌ସୀରେ ବିବାହ କରିଥିବା ଜାଣିବାକୁ ପାଇଥିଲା। ତାଙ୍କ ଘରକୁ ଯାଇ ପଚରାଉଚରା କରିବା ପରେ ସେମାନେ ପ୍ରଥମେ ଫାଙ୍କି ଦେଇଥିଲେ। କିନ୍ତୁ ପୁଲିସ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା। ସନ୍ଦେହ ହେବାରୁ ପୁଣି ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ। କିଛିଦିନ ତଳେ ନାବାଳିକା ଝାନ୍‌ସୀ‌ରେ ଥିବା ପୁଲିସକୁ ଖବର ମିଳିଥିଲା। ଏୟାରପୋର୍ଟ ପୁଲିସର ଏକ ଟିମ୍ ଝାନ୍‌ସୀ ଯାଇ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ନାବାଳିକାଙ୍କୁ ପୁଣି ଥରେ ଝାନ୍‌ସୀ ନେବା ପାଇଁ ଝିଲି ଓ ମିଲି ଗତକାଲି କାରଗିଲ ବସ୍ତିରେ ପହଞ୍ଚିଥିଲେ। ଏହି ଖବର ମିଳିବା ପରେ ଏୟାରପୋର୍ଟ ପୁଲିସ ବସ୍ତି‌‌‌‌ରେ ଚଢ଼ଉ କରି ଝିଲି, ମିଲି ଓ ମଣ୍ଟୁକୁ ଗିରଫ କରିଥିଲା। ନାବାଳିକାଙ୍କୁ ପଚରାଉଚରା ପରେ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଇ ଭଉଣୀ ଝାନ୍‌ସୀ ନେଇ ଯାଇଥିବା ପୁଲିସ ଆଗରେ କହିଛି। ନାବାଳିକାଙ୍କୁ ସେମାନେ ଜଣଙ୍କ ଘରେ ନେଇ ରଖିଥିବା ପୁଲିସକୁ ସୂଚନା ମିଳିଛି। ନାବାଳିକାଙ୍କୁ ବିକ୍ରି କରାଯାଇଥିବା ପୁଲିସ ସନ୍ଦେହ କରୁଛି। କେତେ ଟଙ୍କାରେ ଏହି ଡିଲ୍ କରାଯାଇଥିଲା, କାହାକୁ ବିକ୍ରି କରାଯାଇଥିଲା, ଝିଲି ଓ ମିଲିଙ୍କ ସ୍ବାମୀ ଏବେ କେଉଁଠି, ଝିଲି ଓ ମିଲି କେବଳ ସେହି ନାବାଳିକାଙ୍କୁ ନେଇଛନ୍ତି ନା ଆହୁରି ନାବାଳିକା ଚାଲାଣ କରିଛନ୍ତି, ତାକୁ ନେଇ ତନାଘନା ଚଳାଇଛି ପୁଲିସ। ଅଧିକ ତଦନ୍ତ ଲାଗି ଏୟାରପୋର୍ଟ ଥାନା ପୁଲିସ ଦୁଇ ଭଉଣୀଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ରିମାଣ୍ଡରେ ଆସିବା ପରେ ସେମାନଙ୍କ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା ରଖିଛି ପୁଲିସ। ଯେଉଁ ତଥ୍ୟ ମିଳିବ, ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁଲିସ।

ସମ୍ବନ୍ଧିତ ଖବର