ଋଣ ଟଙ୍କା ନେଇ ମହିଳାଙ୍କ ଆତ୍ମହତ୍ୟା ଘଟଣା

୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଋଣ ଟଙ୍କାକୁ ନେଇ ୟୁନିଟ୍‌-୮ ସ୍ଥିତ ନୀଳପାଣିଟାଙ୍କି ବସ୍ତିର ମୀନାକ୍ଷୀ ସାହୁ(୩୫) ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଫେରାର୍‌ ଥିବା ଅଭିଯୁକ୍ତକୁ ନୂଆପଲ୍ଲୀ ଥାନା ପୁଲିସ ୨ବର୍ଷ ପରେ ଗିରଫ କରିଛି। ସେ ହେଲେ ନୀଳପାଣିଟାଙ୍କି ବସ୍ତିର ସଙ୍ଗୀତା ସାହୁ ଓରଫ ଛବି ନନ୍ଦ(୩୫)। ୨୦୧୪ରେ ମୀନାକ୍ଷୀ, ସଂଗୀତା ଓ ସ୍ଥାନୀୟ ଅଞ୍ଚଳର କେତେକ ମହିଳା ମିଶି ଏକ ପାଣ୍ଠି କରିଥିଲେ। ୨୦୧୬ରେ ମୀନାକ୍ଷୀ ପାଣ୍ଠିରୁ ୩୦ହଜାର ଟଙ୍କା ଋଣ ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଋଣ ସୁଝି ନଥିଲେ। ଏହାକୁ ନେଇ ସଂଗୀତା ଓ ଅନ୍ୟ ମହିଳା ମୀନାକ୍ଷୀଙ୍କୁ ଅପଦସ୍ତ କରିବା ସହ ଗାଳିଗୁଲଜ କରିଥିଲେ। ସଂଗୀତା ଓ ଅନ୍ୟ ମହିଳାଙ୍କ ନିର୍ଯାତନା ସହି ନପାରି ମୀନାକ୍ଷୀ ଆତ୍ମହତ୍ୟା କରିଥିଲେ। ଏନେଇ ତାଙ୍କ ସ୍ୱାମୀ ଲିଙ୍ଗରାଜ ସାହୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ୨୦୧୬ରେ ୨ ମହିଳାଙ୍କୁ ଗିରଫ କରିଥିଲା। ହେଲେ ସଂଗୀତା ଫେରାର ଥିଲା। ଶନିବାର ସଂଗୀତା ଘରେ ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା। ପୁଲିସ ସେଠାରୁ ସଂଗୀତାକୁ ଗିରଫ କରି ଥାନାକୁ ଆଣିଥିଲା। ଥାନାରେ ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର