ରୋଗୀ ମୃତ୍ୟୁ ନେଇ ଉତ୍ତେଜନା ଘଟଣା : ୨ ଯୁବକ ଗିରଫ

ଭୁବନେଶ୍ୱର : ଶନିବାର ବିଳମ୍ବିତ ରାତିରେ ରୋଗୀ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଘଟଣାରେ ଆଜି କ୍ୟାପିଟାଲ ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିପାଟଣା ଅଞ୍ଚଳର ରାକେଶ ଦାସ(୨୭) ଓ ୟୁନିଟ୍‌-୬ ମା’ମଙ୍ଗଳାବସ୍ତିର ଜିତୁ ଦାସ(୨୨)।

ପ୍ରକାଶ ଥାଉ କି, ମଞ୍ଚେଶ୍ୱର ଅଞ୍ଚଳର ଚାରୁଲତା ରାଉତ(୬୫) ନାମକ ଜଣେ ମହିଳା ଚିକିତ୍ସା ପାଇଁ ଗତ କିଛିଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିର୍ ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ରାକେଶ, ଜିତୁ ଓ ସେମାନଙ୍କ ସହଯୋଗୀମାନେ ହସ୍ପିଟାଲ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିଲେ। ଏମିତିକି ଫାଣ୍ଡିରେ ଥିବା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା। ଏହାପରେ ସେଠାରୁ କେତେଜଣ ଉତ୍ତ୍ୟକ୍ତ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ରାକେଶ ଓ ଜିତୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର