ମୁସଲମାନ୍‌ ଗାୟକ ହତ୍ୟା ମାମଲା : ହତ୍ୟା ଧମକ ପାଇବା ପରେ ୨୦୦ ମୁସଲମାନ ଗାଁ ଛାଡ଼ିଲେ

ଜୟପୁର: ରାଜସ୍ଥାନ ଜୈସଲମେର ଜିଲ୍ଲାର ଦାନ୍ତଲ ଗ୍ରାମର ପାଖାପାଖି ୨୦୦ମୁସଲମାନଙ୍କୁ ଗାଁ ଛାଡ଼ି ଯିବା ପାଇଁ ବାଧ୍ୟ କରାଯିବା ଭଳି ଏକ ସ୍ପର୍ଶକାତର ଘଟଣା ଏବେ ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି କି ଜଣେ ମୁସଲମାନ ଗାୟକଙ୍କୁ ହତ୍ୟା କରିବାର ମାମଲା ପୁଲିସରେ ରୁଜୁ କରିବା ପରେ ଗ୍ରାମରେ ଥିବା ଉଚ୍ଚଜାତିର ହିନ୍ଦୁମାନେ ସମସ୍ତ ମୁସଲମାନ ବାସିନ୍ଦାଙ୍କୁ ଗ୍ରାମ ଛାଡ଼ି ଯିବାକୁ କହିଥିଲେ। ଦାନ୍ତଲରେ ୨୦ଟି ମୁସଲମାନ ପରିବାରର ପାଖାପାଖି ୨୦୦ ଲୋକ ରହୁଥିଲେ।

ଏହି ଘଟଣାରେ ମୁସଲମାନମାନଙ୍କୁ ହତ୍ୟା ଧମକ ମିଳିବା ପରେ ଜୈସଲମେର ଦାନ୍ତଲ ଗାଁରେ ରହୁଥିବା ପାଖାପାଖି ୨୦୦ ମୁସଲମାନ ପାଖ ବଲାଡ ଗ୍ରାମରେ ନିଜ ସମ୍ପର୍କୀୟଙ୍କ ଘରେ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୭ରେ ଗ୍ରାମରେ ଏକ ଧାର୍ମିକ ସମାରୋହର ଆୟୋଜନ କରାଯାଇଥିଲା। ଯେଉଁଥିରେ ସ୍ଥାନୀୟ ଗାୟକ ଅହମଦ ଖାନ୍‌ ଭଜନ ଗାଉଥିଲେ। ରମେଶ ସୁଥାର ନାମକ ଜଣେ ପୂଜକ ଏକ ବିଶେଷ ଭଜନ ଗାଇବା ପାଇଁ ଆମଦଙ୍କୁ ଅନୁରୋଧ କରିଥିଲେ। କାରଣ ଭଜନ ଦ୍ୱାରା ତାଙ୍କ ଭିତରେ ଦେବୀ ପ୍ରବେଶ କରିବେ ବୋଲି ସୁଥାରଙ୍କ ବିଶ୍ୱାସ ଥିଲା। ଅହମଦ ଭଜନ ଗାଇ ସାରିବା ପରେ ବି ରମେଶ ସୁଥାରଙ୍କ ଶରୀର ଭିତରେ ଦେବୀ ପ୍ରବେଶ ନ କରିବାରୁ ଖାନ୍‌ଙ୍କ ଉପରେ ସୁଥାର କ୍ଷୁବ୍ଧ ହୋଇଯାଇଥିଲେ। ଖାନ୍‌ଙ୍କ ଭଜନ ଗାଇବାର ସାମର୍ଥ୍ୟ ନାହିଁ ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ କି ଏଥିପାଇଁ ଦେବୀ ତାଙ୍କ ଭିତରେ ପ୍ରବେଶ କରି ପାରିଲେ ନାହିଁ। ଏହା ପରେ ସେ ଖାନ୍‌ଙ୍କ ବାଦ୍ୟ ଯନ୍ତ୍ର ଭାଙ୍ଗି ଦେବା ସହିତ ମାରପିଟ ଆରମ୍ଭ କରିଥିଲେ। ଏହାପରେ ସୁଥାର ନିଜର ଦୁଇସାଥୀଙ୍କ ସହିତ ମିଶି ଖାନ୍‌ଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲେ। ପରେ ଖାନ୍‌ଙ୍କ ମୃତଦେହ ତାଙ୍କ ଘର ବାହାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।

ଏଭଳି ପରିସ୍ଥିତି ସୃଷ୍ଟି ହେବା ପରେ ଖାନ୍‌ଙ୍କ ପରିବାର ଲୋକଙ୍କୁ କୌଣସି ଅଭିଯୋଗ ପୁଲିସରେ ନ ଦେବା ଲାଗି ଧମକ ମଧ୍ୟ ଦିଆଯାଇଥିଲା। ଏହି ଭୟରେ ଖାନ୍‌ଙ୍କ ପରିବାର ଲୋକ କାହାରିକୁ କିଛି ନକହି ଚୁପ୍‌ ରହିଥିଲେ। କିଛିଦିନ ଚୁପ୍‌ ରହିବା ପରେ ଖାନ୍‌ଙ୍କ ଜଣେ ସମ୍ପର୍କୀୟ ପୁଲିସରେ ଖାନ୍‌ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ଗ୍ରାମର ଅନ୍ୟ ମାନେ ମୁସଲମାନଙ୍କୁ ଗାଁ ଛାଡ଼ି ଯିବାକୁ କହିଥିଲେ।

ଗାୟକ ଅହମଦ ଖାନ୍‌ଙ୍କ ଭାଇ ସୁଗେ ଖାନ୍‌ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ସୁଥାର ଆମକୁ ଧମକ ଦେଇ କହିଥିଲେ ଯଦି ଆମେ ଗ୍ରାମ ନଛାଡ଼ୁ ତେବେ ଗ୍ରାମରେ ଥିବା ସମସ୍ତ ମୁସଲମାନଙ୍କୁ ଜୀବନରୁ ମାରି ଦିଆଯିବ। ଏହି ଭୟରେ ପାଖାପାଖି ୨୦ ପରିବାରର ୨୦୦ଲୋକ ଗ୍ରାମ ଛାଡ଼ି ପାଖ ଗ୍ରାମ ବଲାଡ ଗ୍ରାମରେ ନିଜର ସମ୍ପର୍କୀୟଙ୍କ ଘରେ ଶରଣ ନେଇଛନ୍ତି।

ଜୈସଲମେର ଏସ୍‌ପି ଗୌରବ ଯାଦବଙ୍କ କହିବାନୁସାରେ, ଆମେ ଗ୍ରାମର ବୟୋଜ୍ୟେଷ୍ଠ ଲୋକଙ୍କ ସହ କଥା ହେବା ପରେ ମୁସଲମାନମାନଙ୍କୁ ଗାଁକୁ ଫେରିଯିବାକୁ ବୁଝାଉଛୁ। ସେମାନଙ୍କ ସୁରକ୍ଷା ଆମେ ହାତରେ ରହିଛି। ଯଦି ଗ୍ରାମବାସୀ ମୁସଲମାନମାନଙ୍କୁ ପୁଣି ଥରେ ଧମକ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି କହିଛନ୍ତି।

ପୁଲିସ ରମେଶଙ୍କୁ ଅକ୍ଟେବାର ୪ରେ ଗିରଫ କରିଛି, କିନ୍ତୁ ରମେଶଙ୍କ ସହ ଏହି ହତ୍ୟା ଘଟଣାରେ ଜଡ଼ିତ ଥିବା ଅନ୍ୟ ଦୁଇଜଣ ଏବେ ବି ଫେରାର ଅଛନ୍ତି। ଆମଦ ଖାନ୍‌ଙ୍କ ମୃତଦେହକୁ କବରରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର