ବିମାନବନ୍ଦରରେ ଯବାନଙ୍କଠାରୁ ୨୦ ରାଉଣ୍ଡ୍‌ ଗୁଳି ଜବତ

ପୁରୁଣା ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ହାବିଲଦାରଙ୍କ ଠାରୁ ୨୦ରାଉଣ୍ଡ ଗୁଳି ଜବତ ହୋଇଛି। ତାଙ୍କ ନାମ ଧନଞ୍ଜୟ ଦତ୍ତ। ତାଙ୍କ ଘର କଟକ ଜିଲ୍ଲା କିଷନ ନଗର ଥାନାର ବରୋଦା ଗ୍ରାମରେ। ବିମାନବନ୍ଦରରେ ଚେକିଂ ସମୟରେ ଧନଞ୍ଜୟଙ୍କଠାରୁ ଗୁଳି ଜବତ ହେବା ପରେ ତାଙ୍କୁ ଏୟାରଫିଲ୍ଡ ଥାନା ପୁଲିସକୁ ହସ୍ତାନ୍ତର କରଯାଇଥିଲା। ପୁଲିସ ଧନଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ ସଂସ୍ଥାର ଚାଟାର୍ଡ ବିମାନରେ କଟକର ଆର୍‌ ଏନ୍‌ ସାହୁ ଓ ସେକ୍‌ ସିଆବୁଦ୍ଦିନ ଅଲ୍ଲୀ ଭୁବନେଶ୍ୱରରୁ ଦିଲ୍ଲୀ ଯିବାର ଥିଲା। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। କିନ୍ତୁ ଆର୍‌.ଏନ୍‌. ସାହୁଙ୍କ ବଦଳରେ ଧନଞ୍ଜୟ ଦିଲ୍ଲୀ ଯିବାକୁ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନରେ ଚଢ଼ିବା ପୂର୍ବରୁ ତାଙ୍କ ବ୍ୟାଗ୍‌ ଚେକିଂ ସମୟରେ ବ୍ୟାଗରେ ୨୦ରାଉଣ୍ଡ ଗୁଳି ଥିବା ଜଣାପଡ଼ିଥିଲା। ଏହା ପରେ ବିମାନବନ୍ଦରରେ ମୁତୟନ ହୋଇଥିବା ସିଆଇଏସ୍‌ଏଫ୍‌ ଯବାନ ଧନଞ୍ଜୟଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ସେ କମିସନରେଟ୍‌ ପୁଲିସର କଟକ ରିଜର୍ଭ ବାଟାଲିଅନର ଜଣେ ହାବିଲଦାର। ଧନଞ୍ଜୟ ଜଣେ ପୁଲିସ କର୍ମଚାରୀ ହୋଇ ଏତେ ସଂଖ୍ୟାରେ ଗୁଳି ନେଉଥିବା ଜଣାପଡ଼ିବା ପରେ ସିଆଇଏସ୍‌ଏଫ୍‌ ଏଏସ୍‌ଆଇ ସୁନିଲ କୁମାର ସାହୁ ବିମାନବନ୍ଦରର ସୁରକ୍ଷା ମୁଖ୍ୟଙ୍କୁ ଜଣାଇଥିଲେ। ଏହାପରେ କମିସନରେଟ୍‌ ପୁଲିସକୁ ସୂଚନା ଦିଆଯାଇଥିଲା। ଏୟାରଫିଲ୍ଡ ଥାନା ପୁଲିସ ଧନଞ୍ଜୟଙ୍କୁ ବିମାନବନ୍ଦରରୁ ନିଜ ହେପାଜତକୁ ନେଇଥିଲା। ଥାନାରେ ପଚରାଉଚରା ସରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର