ପ୍ରେମିକାକୁ ଭିଡିଓ କଲିଂ କରି ‘ଲାଇଭ୍‌’ ଆତ୍ମହତ୍ୟା କଲେ ଯୁବକ

ହାଇଦ୍ରାବାଦ: ଏକ ଭିଡିଓ କଲ୍‌ ସାହାଯ୍ୟରେ ନିଜ ପ୍ରେମିକା ସହ କଥା ହେଉଥିବା ସମୟରେ ଜନୈକ ୨୦ ବର୍ଷୀୟ ଯୁବକ ନିଜ ବେକରେ ଫାଶୀ ଲଗାଇ ‘ଲାଇଭ୍‌’ ଆତ୍ମହତ୍ୟା କରଛନ୍ତି। ଫାଶୀ ଲଗାଇ ଆତ୍ମହତ୍ୟା କରିବାର ପୂରା ଘଟଣାକ୍ରମର ଭିଡିଓ ରେକର୍ଡିଂ ତାଙ୍କ ଫୋନ୍‌ରେ ହୋଇଯାଇଛି।
ପୋଲିସ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ହାଇଦ୍ରାବାଦର ବିନାୟକ ନଗର ଅଞ୍ଚଳରେ ରହୁଥିବା ଆଜ୍‌ମେରା ସାଗର ନାମକ ଜନୈକ ୨୦ ବର୍ଷ ବୟସ୍କ ଯୁବକ ବୁଧବାର ସନ୍ଧ୍ୟାରେ ତାଙ୍କ ପ୍ରେମିକା ସହ ଏକ ଭିଡିଓ କଲ୍‌ ସାହାଯ୍ୟରେ କଥା ହେଉଥିବା ବେଳେ ନିଜ ବେକରେ ଫାଶୀ ଲଗାଇ ‘ଲାଇଭ୍‌’ ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟା କରିଥିବା ଯୁବକଙ୍କ ଘର ତେଲେଙ୍ଗାନାର ମେଡ଼କ ଜିଲ୍ଲା ଅନ୍ତର୍ଗତ ବାବୁସାଇପେଟ ଅଞ୍ଚଳରେ। ସେ ହାଇଦ୍ରାବାଦରେ ତାଙ୍କ ଭଉଣୀଙ୍କ ପାଖେ ରହି ଆଇଟିଆଇ ପଢ଼ୁଥିଲେ। କୌଣସି କାରଣକୁ କେନ୍ଦ୍ର କରି ମତାନ୍ତର ହେବା ପରେ ଆଜ୍‌ମେରାଙ୍କ ପ୍ରେମିକା ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ। ଏହି ଘଟଣାରେ ବ୍ୟଥିତ ଥିଲେ ଆଜ୍‌ମେରା।

ତେବେ, ବୁଧବାର ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ସେ ଏକ ଭିଡିଓ କଲ୍‌ରେ ତାଙ୍କ ପ୍ରେମିକାଙ୍କ ସହ କଥା ହେଉଥିଲେ। ତେବେ, ପ୍ରେମକାଙ୍କ ସହ କଥା ହେଉଥିବା ବେଳେ ସେ ତାଙ୍କ ରୁମ୍‌ର ସିଲିଂ ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ବିଳମ୍ବିତ ସନ୍ଧ୍ୟାରେ ଆଜ୍‌ମେରାଙ୍କ ଭଉଣୀ ଘରକୁ ଫେରି ସେ ଆତ୍ମହତ୍ୟା କରିଥିବା ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ସାଇବରାବାଦ ପୋଲିସ୍‌ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫାଶୀ ଲଗାଇ ଆତ୍ମହତ୍ୟା କରିବାର ପୂରା ଘଟଣାକ୍ରମର ଭିଡିଓ ରେକର୍ଡିଂ ହୋଇଥିବା ତାଙ୍କ ଫୋନ୍‌କୁ ଜବତ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର