୨୦ ବର୍ଷୀୟ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କଲେ ୫ ନାବାଳକ

ନୂଆଦିଲ୍ଲୀ: ବୁଧବାର ରାତିରେ ଜାହାଙ୍ଗିରପୁରୀ ଠାରେ ଥିବା ଏକ ମ୍ୟୁନିସ୍‌ପାଲ୍‌ ଗାର୍ବେଜ୍‌ ଡମ୍ପ୍‌ ଠାରେ ନାବାଳକ ବୋଲି ସନ୍ଦେହ କରାଯାଉଥିବା ୫ ଜଣ ତରୁଣ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କରିଥିବା କଥା କୁହାଯାଉଛି। ଗୁରୁବାର ଅପରାହ୍ଣରେ ପୀଡ଼ିତା ଜାହାଙ୍ଗିରିପୁରୀ ଥାନାରେ ଅଭିଯୋଗ ଦାଏର କରିଛନ୍ତି।

ପୁଲିସକୁ ବୟାନ ଦେଇ ପୀଡ଼ିତା କହିଛନ୍ତି ଯେ ରାତି ପ୍ରାୟ ୧୦ଟା ବେଳେ ସେ ତରୁଣମାନଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସେମାନେ ତାଙ୍କୁ ଏମ୍‌ସିଡି ଆପାର୍ଟମେଣ୍ଟ୍‌ ପଛରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଯାଇ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଯଦି ସାହାଯ୍ୟ ପାଇଁ ପାଟି ଚିଲାଏ କି, ଏ ଘଟଣା କେଉଁଠି ପ୍ରକାଶ କରେ ତେବେ ତାକୁ ହତ୍ୟା କରାଯିବ ବୋଲି ସେମାନେ ତାକୁ ଧମକ ଦେଇଥିଲେ।

ଗୁରୁବାର ଅପରାହ୍ଣରେ, ପୀଡ଼ିତା ନିଜର ଜଣେ ଆତ୍ମୀୟଙ୍କ ଆଗରେ ଏକଥା ବଖାଣିବା ପରେ ଥାନାକୁ ସୂଚନା ଦିଆ ଯାଇଥିଲା। ତାଙ୍କର ଡାକ୍ତରୀ ମାଇନା କରାଯିବା ପରେ ଗଣ ଦୁଷ୍କର୍ମ ମାମଲା ଦାଏର କରାଯାଇଥିଲା। ଶୁକ୍ରବାର ଦିନ ଧାରା ୧୬୪ ସିଆର୍‌ପିସି ଅଧୀନରେ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ତାଙ୍କର ବୟାନ ରେକର୍ଡ କରାଯିବ। ତାଙ୍କୁ ଏକ ଏନ୍‌ଜିଓ କାଉନ୍‌ସେଲିଙ୍ଗ୍‌ ଦେଉଛି।

ଉତ୍ତରପଶ୍ଚିମ ଡିସିପି ଅସ୍‌ଲମ୍‌ ଖାଁ କହନ୍ତି: ସନ୍ଦିଗ୍ଧମାନଙ୍କୁ ଅଟକ ରଖାଯାଇଛି। ଆମେ ସେମାନଙ୍କର ସାମାଜିକ ପୃଷ୍ଠଭୂମି ଯାଞ୍ଚ କରୁଛୁ।
ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା ଗୋଟିଏ କଲୋନିରେ ବାସ କରୁଥିବାରୁ ସେମାନେ ତାଙ୍କ ପରିବାର ସହ ପରିଚିତ। ପୁଲିସ କହିବା ଅନୁସାରେ, ସେ ତରୁଣମାନେ ସ୍କୁଲ୍‌ରୁ ବିତାଡ଼ିତ ହୋଇଛନ୍ତି। ସେମାନେ ଗାର୍ବେଜ୍‌ ଡମ୍ପ୍‌ରେ ସାମୟିକ କାର୍ଯ୍ୟ କରନ୍ତି। ସାବାଳକ ବୋଲି ସାବ୍ୟସ୍ତ ହେଲେ ସେମାନଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଯିବ।

ସମ୍ବନ୍ଧିତ ଖବର