୨କୁଇଣ୍ଟାଲ୍‌ ଗଞ୍ଜେଇ ଜବତ: ଦୁଇ ଗ‌ଞ୍ଜେଇ ବ୍ୟବସାୟୀ ଗିରଫ

ଭୁବନେଶ୍ବର: ସହିଦନଗର ଥାନା ପୁଲିସ ଏକ ଗଞ୍ଜେଇ ଚୋରା ଚାଲାଣ ରୢାକେଟ୍‌କୁ ଠାବ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ ଗଞ୍ଜେଇ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୨କୁଇଣ୍ଟାଲ୍‌ ୧୮ କେଜି ଗଞ୍ଜେଇ, ଟ୍ରକ, ହଜାରେ ଟଙ୍କା ଓ ୨ଟି ମୋବାଇଲ୍‌ ଜବତ ହୋଇଛି। ସେମାନେ ହେଲେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ ଅଞ୍ଚଳର ଆର୍‌ ସତ୍ୟନାରାୟଣ(୩୭) ଓ ବିଶାଖାପାଟଣା ଅଞ୍ଚଳର ଏସ୍‌ ଗୋବିନ୍ଦା(୨୫)। ଆନ୍ଧ୍ରପ୍ରଦେଶରୁ କୋଲକାତା ଯାଉଥିବା ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ସହିନଗର ଥାନା ପୁଲିସ ଖବର ପାଇଥିଲା। ଖବର ପାଇବା ପରେ ପୁଲିସର ଏକ ଟିମ୍‌ ଆଚାର୍ଯ୍ୟବିହାର ଛକରେ ଛକିବସିଥିଲା। ରବିବାର ଭୋର ସମୟରେ ଟ୍ରକଟି ଆଚାର୍ଯ୍ୟବିହାର ଅତିକ୍ରମ କରୁଥିବା ସମୟରେ ପୁଲିସ ଅଟକାଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ରୁ ପୁଲିସ ଗଞ୍ଜେଇ ଜବତ କରିଥିଲା। ପୁଲିସ ଉକ୍ତ ଟ୍ରକକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର