ଭୁବନେଶ୍ୱର: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ପୁଲିସର ସହଯୋଗରେ ଚର୍ଚ୍ଚ ବଉଳ ଅଂଚଳରେ ଏସଟିଏଫ ଅତର୍କିତ ଭାବେ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସଟିଏଫ କ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କ ବେଆଇନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏସଟିଏଫ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କେଲାର ଗାଁର ଗୋକୁଳାନନ୍ଦ ପାଳ, ଗଂଜାମ ଜିଲ୍ଲାର ରାଧେଶ୍ୟାମ ବାରିକ ଓ ଗଂଜାମ ଜିଲ୍ଲାର ଗୋଲନ୍ଥରା ଅଂଚଳର ଜିତେନ୍ଦ୍ର ରାଉତଙ୍କୁ ଅଟକ ରଖିଛି ।

Advertisment

ଏସଟିଏଫ ୨ଟି ଟ୍ୟାଙ୍କର, ଗୋଟିଏ ଇଲେକ୍ଟ୍ରି ମୋଟର, ୫ଟି ଖାଲି ଥିବା ଡ୍ରମ, ପ୍ଲାଷ୍ଟିକ ପାଇପ, କ୍ୟାମିକାଲ, ନଗଦ ୧୮ ହଜାର ୬୦୦ ଟଙ୍କା ଜବତ କରିଛି । ତେବେ ଘଟଣାସ୍ଥଳରୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ କ୍ଷୀରୋଦ ଚନ୍ଦ୍ର ପାତ୍ର ଫେରାର ହୋଇଯାଇଛନ୍ତି । ତେବେ ପୁଲିସ ଜାଣିବାକୁ ପାଇଛି ଯେ, ଏଠାରେ କିରାସିନିରେ ରସାୟନିକ ସାମଗ୍ରୀ ମିଶାଇ ନକଲି ଡିଜେଲ ପ୍ରସ୍ତୁତ କରାଯାଉଥିଲା । କିରାସିନିକୁ ଡିଜେଲ ଦରରେ ବିକ୍ରି କରି ଅଭିଯୁକ୍ତମାନେ ବିପୁଳ ଟଙ୍କା ରୋଜଗାର କରୁଥିଲେ । ଏ ସଂକ୍ରାନ୍ତରେ ଗୁରୁଡ଼ିଝାଟିଆ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।