ମିନିଟ୍ରକ୍‌ ସହ ୨୫ କ୍ୱିଣ୍ଟାଲ କେନ୍ଦୁପତ୍ର ଜବତ

ନରସିଂହପୁର : ଫାର୍ମହାଉସ୍‌ ଭିତରେ ବେଆଇନଭାବେ ଗଚ୍ଛିତ ରଖି‌ଥିଲେ କେନ୍ଦୁପତ୍ର। ସ୍ଥାନୀୟ ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରି ସଂପୃକ୍ତ ଫାର୍ମର ମାଲିକ ୧୦ ଦିନ ହେବ ଗଚ୍ଛିତ ରଖିଥିଲେ। ତାହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା ହୋଇଥିଲା। ଏକ ମିନିଟ୍ରକ୍‌ରେ ତାହାକୁ ଚାଲାଣ କରିବା ପାଇଁ ‌ବୋଝେଇ କରାଯାଇଥିଲା। କିନ୍ତୁ ଏ ସଂପର୍କରେ ଖବରପାଇ ବନବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍‌ ସେଠାରୁ ୨୫ କ୍ବିଣ୍ଟାଲ କେନ୍ଦୁପତ୍ର ଜବତ୍‌ କରିଥିବା ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି। ଜବତ୍‌ କେନ୍ଦୁପତ୍ରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ବନବିଭାଗର ଚଢାଉ ସମୟରେ ସେଠାରେ ଥିବା ଅଭିଯୁକ୍ତମାନେ କିନ୍ତୁ ଖସି ପଳାଇଛନ୍ତି। ପୂର୍ବ ବନାଞ୍ଚଳ ଅଧିକାରୀ ବିଭୁ ରଞ୍ଜନ ରାୟ, ନରସିଂହପୁର ଥାନା ପୁଲିସ, ଡିଭିଜନ ମୋବାଇଲ ସ୍କ୍ୱାଡ୍‌, ଏପିଆର୍‌ ଫୋର୍ସ, ଖୁଣ୍ଟୁଣୀ, ଆଠଗଡ଼ ବନ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଜବତ୍‌ କେନ୍ଦୁପତ୍ରକୁ ତିନିଟି ଗାଡ଼ିରେ ନରସିଂହପୁର କଲେଜ ରୋଡ୍‌ସ୍ଥିତ ରେଞ୍ଜ ଅଫିସରେ ରଖାଯାଇଛି। କେନ୍ଦୁପତ୍ର ରେଞ୍ଜ ଅଫିସ୍‌ ନରସିଂହପୁରରେ ଥିବାବେଳେ ଏହାର ଡିଭିଜନ ଅଫିସ କିନ୍ତୁ ଅନୁଗୁଳରେ ରହିଛି।

ସମ୍ବନ୍ଧିତ ଖବର