ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଆଦର୍ଶ ଥାନା ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨୮ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ ସେମାନଙ୍କ ନିକଟରୁ ୭୦, ୬୦୦ଟଙ୍କା ନଗଦ, ୧୨ଟି ବାଇକ୍‌ ଓ ୨୩ଟି ମୋବାଇଲ ଫୋନ୍‌ ଜବତ କରିଥିବାର ଥାନା ସୁତ୍ରରୁ ଜଣାପଡିଛି। ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ସଂଧ୍ୟା ଓ ରାତ୍ରକାଳୀନ ପେଟ୍ରୋଲିଂ କରିବା ସମୟରେ ପଦ୍ମପୁର ଗ୍ରାମ ସମେତ ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ଯିବା ରାସ୍ତାରେ ଥିବା ଡି୨ ବାର ନିକଟରେ, ନୂଆ କାମ୍ପସାହି ଓ ଗାନ୍ଧିନଗର-୩ ଲାଇନରେ ଚାଲିଥିବା ଜୁଆ ଆଡ୍ଡା ଗୁଡିକ ଉପରେ ଚଢାଉ କରଯାଇଥିଲା।

Advertisment

ପଦ୍ମପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରୁ ୭ଜଣ ଜୁଆଡିକୁ ଗିରଫ କରିବା ସହ ଘଟଣାସ୍ଥଳରୁ ୧୯, ୫୦୦ଟଙ୍କା, ୫ଟି ବାଇକ୍‌ ଓ ୫ଟି ମୋବାଇଲ୍‌ ଫୋନ୍‌, ପାରଳାଖେମୁଣ୍ଡି ସହରର ବାର୍‌ ନିକଟରେ ଚାଲିଥିବା ଜୁଆ ଆଡ୍ଡାରୁ ୯ଜଣ ଜୁଆଡିକୁ ଗିରଫ କରିବା ସହ ୧୬,୭୦୦ଟଙ୍କା, ୭ଟି ବାଇକ୍‌ ଓ ୮ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିଲା।

ସେହିପରି ନୂଆ କାମ୍ପସାହିରେ ଚାଲିଥିବା ଜୁଆ ଆଡ୍ଡାରୁ ୭ଜଣ ଜୁଆଡିକୁ ଗିରଫ କରିବା ସହ ୩୦, ୨୦୦ଟଙ୍କା ଓ ୬ଟି ମୋବାଇଲ୍‌ ଫୋନ୍‌ ଏବଂ ଗାନ୍ଧିନଗର ୩ୟ ଲାଇନରେ ଚାଲିଥିବା ଜୁଆ ଆଡ୍ଡାରୁ ୫ଜଣ ଜୁଆଡିକୁ ଗିରଫ କରିବା ସହ ୪ଟି ମୋବାଇଲ୍‌ ଫୋନ୍‌ ପୋଲିସ ଜବତ କରିଛି।

ଏନେଇ ପାରଳାଖେମୁଣ୍ଡି ଥାନା ମାମଲା ରୁଜୁ କରିଛି। ଏହି ଚଢାଉରେ ଏସଆଇ. ବିନାୟକ ମନ୍ତ୍ରୀ, ଲଳିତ ମୋହନ ସାଗର, ଏ.ମୋହନ, ହାବିଲଦାର କାମିନୀ ରତ୍ନମ, ଟିଲୁ ପଟନାୟକ ଓ କନଷ୍ଟେବଳ ହରି ସାମଲଙ୍କ ସମେତ ବହୁ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ ବୋଲି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।