ଜମି ବିକ୍ରି ବାହାନାରେ ଦିବ୍ୟାଙ୍ଗ ମହିଳାଙ୍କ ୩.୮ ଲକ୍ଷ ଟଙ୍କା ଚଳୁ

ଖଣ୍ଡଗିରି: ଜମି ବିକିବା ବାହାନାରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କଠାରୁ ୩ ଲକ୍ଷ ୮୦ ହଜାର ଟଙ୍କା ଚଳୁ କରିଥିବା ଅଭିଯୋଗରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ତମାଣ୍ଡୋ ଥାନା ନଁପୁଟ ଗାଁର ସୁଶାନ୍ତ କୁମାର ବଳିଆରସିଂହ(୩୭)। ପୁଲିସ ସୂଚନାନୁସାରେ ପାତ୍ରପଡ଼ା କ୍ରିଷ୍ଣା ବିହାରରେ ରହୁଥିବା ଦିବ୍ୟାଙ୍ଗ ମହିଳା ଶାନ୍ତିଲତା ଦାସ ୨୦୧୩ ମସିହାରେ ୩.୮ ଲକ୍ଷ ଟଙ୍କା ଦେଇ ଅଭିଯୁକ୍ତ ସୁଶାନ୍ତଠାରୁ ଏକ ଜମି କିଣିଥିଲେ। ଉକ୍ତ ପ୍ଲଟଟି ସୁଶାନ୍ତଙ୍କ ବାପାଙ୍କ ନାମରେ ଥିଲା। ଜମି ବିକ୍ରି ପରେ ସୁଶାନ୍ତଙ୍କ ଭାଇମାନେ ବିବାଦ ସୃଷ୍ଟି କରିବାରୁ ସେ ବିକ୍ରି କବଲା ଖାରଜ କରିଦେଲେ ଓ ଶାନ୍ତିଲତାଙ୍କ ଟଙ୍କା ଫେରାଇ ଦେବେ ବୋଲି କହିଥିଲେ। ମାତ୍ର ଟଙ୍କା ଦେବେ ଦେବେ ବୋଲି ଦିନ ଗଡ଼ାଇ ଚାଲିଲେ ସିନା ‌ଟଙ୍କା ଫେରସ୍ତ ନାଁ ଧରିଲେ ନାହିଁ। ତେଣୁ ବାଧ୍ୟ ହୋଇ ୨୦୧୬ ମସିହାରେ ଶାନ୍ତିଲତା ଖଣ୍ଡଗିରି ଥାନାର ଆଶ୍ରୟ ନେଇଥିଲେ। ଏହା ପରେ ଆପୋସ ବୁଝାମଣା କରିବାକୁ ଯାଇ ସୁଶାନ୍ତ ଶାନ୍ତିଲତାଙ୍କୁ ଏକ ଚେକ୍‌ ଦେଇଥିଲେ। ମାତ୍ର ପରେ ତାହା ବାଉନ୍‌ସ ହୋଇଯାଇଥିଲା। ଏହା ପରେ ଅଭିଯୁକ୍ତ ସୁଶାନ୍ତ ଆଉ ଧରାଛୁଆଁ ନ ଦେବାରୁ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ପୁଲିସ ସୁଶାନ୍ତର ଅନ୍ୟ ଜଣେ ଭାଇକୁ ଗିରଫ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର