ଘରେ କଳାକନା ବୁଲାଇଥିବା ୩ ଅଭିଯୁକ୍ତ ଗିରଫ

ବାପାଙ୍କୁ ମାଡ଼ ମାରି ନାବାଳିକାକୁ ଅସଦାଚରଣ, ୩ ଗିରଫ

ଖଣ୍ଡଗିରି : ଭରତପୁର ସନ୍ତୋଷୀନଗର ବସ୍ତିରେ ଯଯାତି କେଶରୀ ଜେନାଙ୍କ ଘରେ କଳାକନା ବୁଲାଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଭରତପୁର ଲେନ୍‌-୫ରେ ରହୁଥିବା ମିର୍ଜା ରଂଜନ(୨୧), ବୀର ପାତ୍ର(୨୦) ଓ ସୁନିଲ୍‌ ଦାସ(୨୦)। ପୁଲିସ ସେମାନଙ୍କଠାରୁ ଚୋରି ମୋବାଇଲ୍‌ ଫୋନ୍‌, କିଛି ରୁପା ଅଳଙ୍କାର ଜବତ କରିଛି।

ପୁଲିସ ସୂଚନାନୁସାରେ, ଗତ ମାସ ୧୬ ତାରିଖରେ ଯଯାତି ସପରିବାରେ ନିଜ ଘର କେନ୍ଦୁଝର ଯାଇଥିଲେ। ୧୯ତାରିଖ ସକାଳୁ ସେ ଭରତପୁର ଫେରିବା ବେ‌ଳେ ତାଙ୍କ ଘରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଦେଖିଲେ ଦୁର୍ବୃତ୍ତମାନେ ତାଙ୍କ ଆଲ୍‌ମିରା ଭାଙ୍ଗି ସୁନା ଗହଣା, ୩୯ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଚୋରି କରି ନେଇଛନ୍ତି। ତୁରନ୍ତ ସେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବହୁ ଖୋଳତାଡ଼ ପରେ ବି ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ଚୋରି ହୋଇଥିବା ଯଯାତିଙ୍କ ଫୋନ୍‌ ଭରତପୁରରେ ପୁଣି ଚାଲୁ ହୋଇଥିଲା ଓ ଟ୍ରାକିଂରୁ ପୁଲିସ ଏହା ଜାଣିବାକୁ ପାଇଥିଲା। ତୁରନ୍ତ ତଦନ୍ତ ଅଧିକାରୀ ମୋବାଇଲ୍‌କୁ ପିଛା କରି ଅଭିଯୁକ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ। ସେମାନଙ୍କଠାରୁ କିଛି ରୁପା ଅଳଙ୍କାର ମିଳିଥିଲେ ହେଁ ଚୋରି ସୁନା ଓ ଟଙ୍କା ଜବତ ହୋଇପାରିନାହିଁ।

ବାପାଙ୍କୁ ମାଡ଼ ମାରି ନାବାଳିକାକୁ ଅସଦାଚରଣ, ୩ ଗିରଫ
ଖଣ୍ଡଗିରି : ବାପାଙ୍କୁ ମାଡ଼ ମାରିବା ସହ ତାଙ୍କ ସମ୍ମୁଖରେ ନାବାଳିକା ଝିଅକୁ ଅସଦାଚରଣ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବରମୁଣ୍ଡା ମହାବୀର ବସ୍ତିର ଦୀପକ ସିଂହ(୨୦), ଦୀପକ ସାହୁ(୨୦) ଓ ଚିଣ୍ଟୁ ନାଏକ(୧୯)।

ପୁଲିସ ସୂଚନାନୁସାରେ, କିଛି ଦିନ ହେଲା ଅଭିଯୁକ୍ତମାନେ ନାବାଳିକାଙ୍କୁ ପିଛା କରି କରି କମେଣ୍ଟ୍ କରୁଥିଲେ। ଅଶାଳୀନ ଭାଷା ଓ ଧମକପୂର୍ଣ୍ଣ କମେଣ୍ଟ କରୁଥିବାରୁ ନାବାଳିକା ଜଣଙ୍କ ଘରୁ ବାହାରିବା ପାଇଁ ଭୟ କରୁଥିଲେ। ଗତ ୧୦ ତାରିଖ ଦିନ ସେ ବାପାଙ୍କ ସହ କୌଣସି କାମରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ପୁଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ କମେଣ୍ଟ କରିଥିଲେ। କିଛି ସମୟ ନିରବ ରହିବା ପରେ ନାବାଳିକାଙ୍କ ବାପା ବାଧ୍ୟ ହୋଇ ପ୍ରତିବାଦ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ଅଭିଯୁକ୍ତମାନେ ମିଳିତ ଭାବେ ତାଙ୍କୁ ମାଡ଼ ମାରିଥିଲେ। ବାପାଙ୍କୁ ରକ୍ଷା କରିବାକୁ ଯାଇ ନାବାଳିକା ଅଭିଯୁକ୍ତମାନଙ୍କ ଅସଦାଚରଣର ଶିକାର ହୋଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ଫେରାର୍ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର