ନକଲି ଜନ୍ମଗତ ପ୍ରମାଣପତ୍ର ରୢାକେଟ ଠାବ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: କ୍ୟାପିଟାଲ ଥାନା ପୁଲିସ ଏକ ନକଲି ଜାତିଗତ ପ୍ରମାଣ ପତ୍ର ରୢାକେଟ ଠାବ କରିବା ସହ ରୢାକେଟର ୩ ଅଭିଯୁକ୍ତକୁ ଗିରଫ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ନିରୋଦ କୁମାର ସାମଲ(୩୬), ବଳଦେଭଜୀ ଅଞ୍ଚଳର ଧନେଶ୍ବର ପରିଡ଼ା(୪୩) ଓ ଜଗତସିଂହପୁର ଜିଲ୍ଲା କଳସା ଅଞ୍ଚଳ ବଟକୃଷ୍ଣ ପାତ୍ର(୪୩)। ସମସ୍ତେ ନୂଆପଲ୍ଲୀ ଥାନା ଅଞ୍ଚଳରେ ରହୁଥିଲେ। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ନିରୋଦ ପାସ୍‌ପୋର୍ଟ ଅଫିସ୍‌ ନିକଟରେ ସାମଲ୍‌ ଟୁର୍‌ସ ଆଣ୍ଡ ଟ୍ରାଭେଲ୍ସ ନାମକ ସଂସ୍ଥା ଖୋଲିଥିଲା। ସେଠାରେ ପାସ୍‌ପୋର୍ଟ, ଭିସା, ବିଭିନ୍ନ ପ୍ରକାର ପ୍ରମାଣପତ୍ର କରାଇ ଦେବାକୁ କହି ହଜାର ହଜାର ଟଙ୍କା ନେଉଥିଲେ। ବଦଳରେ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଉଥିଲେ। ଏଥିପାଇଁ ଲୋକମାନଙ୍କୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ସେବା ଯୋଗାଇ ଦିଆଯାଉଥିଲା। ଯେଉଁଥିରେ ପ୍ରମୁଖ ଭୂମିକାରେ ରହିଥିଲେ ଧନେଶ୍ବର ଓ ବଟକୃଷ୍ଣ। ତେବେ ଇପାରୀ ସୁନ୍ଦର ବାବୁ ନାମକ ଜଣେ ବ୍ୟକ୍ତି ଝିଅର ଜନ୍ମଗତ ପ୍ରମାଣ ପତ୍ର ପାଇଁ ସଂସ୍ଥାରେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆଉ ଏଥିପାଇଁ ୪ହଜାର ଟଙ୍କା ଦେଇଥିଲେ। କିଛିଦିନ ପରେ ନିରୋଦ ସୁନ୍ଦରଙ୍କୁ ଡ଼ାକି ସାର୍ଟିଫିକେଟ ଦେଇଥିଲେ। ତେବେ ସାଟିଫିକେର୍ଟଟି ନକଲି ଥିବା ଯାଞ୍ଚ ବେଳେ ଜଣା ପଡ଼ିଥିଲା। ଏନେଇ ସୁନ୍ଦର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର