ସ୍ମୃତିଙ୍କ ଘନିଷ୍ଠ ସହ‌ଯୋଗୀଙ୍କୁ ହତ୍ୟା ମାମଲା: ୩ ଗିରଫ

ଆମେଥୀ : ଆମେଥିରେ ନବ ନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ମାମଲା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ଆହୁରି ୨ ଜଣ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି। ତେବେ ଏହି ପୂର୍ବତନ ଗାଁ ମୁଖିଆ ସୁରେନ୍ଦ୍ର ସିଂହଙ୍କୁ ସ୍ଥାନୀୟ ରାଜନୈତିକ ଶତ୍ରୁତା ପାଇଁ ହତ୍ୟା କରାଯାଇଛି ବୋଲି ଉତ୍ତରପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି। କିନ୍ତୁ ସ୍ମୃତି ଆଜି କହିଛନ୍ତି , ‌ସେ ସୁରେନ୍ଦ୍ର ସିଂହ ଜୀଙ୍କ ପରିବାର ସଦସ୍ୟଙ୍କ ପାଖରେ ଦୃଢ଼ ପ୍ରତିଜ୍ଞା କରିଛନ୍ତି। ସୁରେନ୍ଦ୍ର ସିଂହଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ସୁରେନ୍ଦ୍ର ସିଂହଙ୍କୁ ଗତ ଶନିବାର ରାତିରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଗତକାଲି ଅପରାହ୍ନରେ ସ୍ମୃତି ଇରାନୀ ଆମେଥି ଗସ୍ତ କରି ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ଘନିଷ୍ଠ ସହଯୋଗୀଙ୍କୁ ହରାଇ ସ୍ମୃତି କାନ୍ଦି ପକାଇଥିଲେ ଏବଂ ଶବକୁ କାନ୍ଧ ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଆଜି ସୁରେନ୍ଦ୍ର ସିଂହଙ୍କ ପତ୍ନୀ ରୁକ୍ମିଣୀ ସିଂହ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କର କାହା ସହ ଶ୍ରତୁତା ନଥିଲା । ନିର୍ବାଚନ ଜିତିବାରେ ସ୍ମୃତିଙ୍କୁ ସହ‌‌ଯୋଗ କରିଥିବାରୁ ଏବଂ ତାଙ୍କ ପାଇଁ ପ୍ରଚାର କରିଥିବାରୁ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର