ଏସ୍‌ଆଇଙ୍କୁ ମାଡ଼ମାରି ୩ ଗିରଫ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଏସ୍‌ଆଇ ଏସ୍‌ କେ ପ୍ରଧାନଙ୍କୁ ମାଡ଼ମାରି ଆଜି ୩ଜଣ ଯୁବକ ଗିରଫ ହୋଇଛନ୍ତି। ସେମାନେ ହେଲେ ବେହେରା ସାହି ବଡ଼ ବାଲିପଡ଼ା ନନ୍ଦନକାନନର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରା, ସୋମେଶ୍‌ ପଢ଼ିହାରୀ ଓ ପ୍ରଧାନ ସାହିର ରାକେଶ କୁମାର ରାଉତ। ସୂଚନା ଅନୁଯାୟୀ ରବିବାର ରାତିରେ ଶୈଳଶ୍ରୀବିହାର ଅଞ୍ଚଳରେ ଏକ ମୋବାଇଲ୍‌ ଲୁଟେରାକୁ ପାଟ୍ରୋଲିଂ ପୁଲିସ୍‌ ପିଛା କରୁଥିବା ବେଳେ ଲୁଟେରାମାନେ ଏକ ବାଇକ୍‌ରେ ଡମଣା ଦିଗରେ ପଳାଇଥିଲେ। ଏହି ସମୟରେ ପୁଲିସ୍‌ ନିକଟରେ ଥିବା କିଛି ସନ୍ଦିଗ୍ଧ ବାଇକ୍‌ର କାଗଜପତ୍ର ଯାଞ୍ଚ କରିଥିଲା। ଏସ୍‌ଆଇ ଶ୍ରୀ ପ୍ରଧାନ ମଲ୍‌ ଆଗରେ ରଖାଯାଇଥିବା ଏକ ବାଇକ୍‌ର କାଗଜପତ୍ର ଦେଖାଇବା ପାଇଁ ପୂର୍ଣ୍ଣଚନ୍ଦ୍ର, ସୋମେଶ ଓ ରାକେଶଙ୍କୁ କହିଥିଲେ। ଏ ନେଇ ଶ୍ରୀ ପ୍ରଧାନଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ଏସ୍‌ଆଇ ପ୍ରଧାନଙ୍କୁ ଧକ୍କା ମରିଥିଲେ। ଖବରପାଇ ଥାନାର ଅନ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଆଜି ଏସ୍‌ଆଇ ପ୍ରଧାନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର