ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣା : ୨ମହିଳାଙ୍କ ସମେତ ୩ ଗିରଫ

ଭୁବନେଶ୍ୱର : ଜମିବାଡ଼ିକୁ କେନ୍ଦ୍ର କରି ୟୁନିଟ୍‌-୮ ନେହରୁ ବସ୍ତିର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ଶନିବାର ନୂଆପଲ୍ଲୀ ଥାନା ପୁଲିସ ଅଟକ ରଖିଥିବା ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ଗୁରୁବାରୀ ନାୟକ(୬୫) ଓ ମହିଳା ଦ୍ୱୟ ଜମ୍ଭୁ ନାୟକ(୪୦) ଓ ବୁନୁ ନାୟକ(୬୦)। ଅନ୍ୟ ଜଣଙ୍କ ନାବାଳକ ଥିବାରୁ ପୁଲିସ ତାଙ୍କୁ ବାଳସୁଧାର ଗୃହକୁ ପଠାଇଛି।

ପ୍ରକାଶ ଥାଉ କି, ନେହରୁ ବସ୍ତିରେ ଜମିବାଡ଼ିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ କିଛିଦିନ ହେଲା ବିବାଦ ଲାଗି ରହିଥିଲା। ଏନେଇ ସାହିରେ ଅନେକ ଥର ସଭା ବସି ଏହାର ସମାଧାନ ହୋଇଥିଲେ ମଧ୍ୟ ଉଭୟ ପରିବାର ମଧ୍ୟରେ ସବୁବେଳେ ଛକାପଞ୍ଝା ଲାଗି ରହୁଥିଲା। ଶନିବାର ସନ୍ଧ୍ୟାରେ ଗନ୍ଧର୍ବ ଲେଙ୍କାଙ୍କ ପରିବାର ଲୋକ ଭୋଜି ଖାଇବାକୁ ଯାଉଥିବା ବେଳେ ଅନନ୍ତ ଲେଙ୍କାଙ୍କ ପରିବାର ଲୋକ କମେଣ୍ଟ ମାରିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର କରାଯାଇଥିଲା। ସ୍ଥାନୀୟ ଲୋକେ ପୁଲିସକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ଯୁବକଙ୍କୁ ବୋତଲରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଜଣେ ଯୁବକଙ୍କୁ ମଦ ବୋତଲରେ ଆକ୍ରମଣ କରି ଗତ ୨ବର୍ଷ ହେବ ଫେରାର ଥିବା ଅଭିଯୁକ୍ତକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେ ହେଲା ୟୁନିଟ୍‌-୧ ଜିଇଡି ବସ୍ତିର ଶ୍ରୀକାନ୍ତ ନାୟକ (୨୨)। ଗତ ୨୦୧୬ ମସିହା ଜାନୁଆରି ୧୪ ତାରିଖ ବିଳମ୍ବିତ ରାତିରେ ବ୍ରଜବନ୍ଧୁ ନାୟକ ନାମକ ଜଣେ ଯୁବକ ବାପୁଜୀନଗରରୁ ଖଣ୍ଡଗିରିସ୍ଥିତ ଘରକୁ ଯାଉଥିଲେ। ସେ ବାପୁଜୀନଗର ରୋଡ୍‌ରେ ଯାଉଥିବା ସମୟରେ ହଠାତ୍‌ ଶ୍ରୀକାନ୍ତ ତାଙ୍କୁ ଅଟକାଇ ଲୁଟ୍‌ପାଟ ଉଦ୍ୟମ କରିଥିଲା। ଯାହାକୁ ନେଇ ଉୟଭଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶ୍ରୀକାନ୍ତ ନିକଟରେ ପଡ଼ିଥିବା ଏକ ବିୟର ବୋତଲ ଉଠାଇ ବ୍ରଜବନ୍ଧୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ବ୍ରଜବନ୍ଧୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ଚିତ୍କାର କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ରଜବନ୍ଧୁଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତକାଲି ରାତିରେ ଶ୍ରୀକାନ୍ତ ଖଣ୍ଡଗିରିସ୍ଥିତ ଘରେ ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ତାକୁ ସେଠାରୁ ଗିରଫ କରି ଥାନାକୁ ଆଣି ପଚରାଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ଦାଦାବଟିକୁ ପାଇଁ ମ୍ୟାନେଜର୍‌ଙ୍କୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର : ଦାଦାବଟି ନ ଦେବାରୁ ହୋଟେଲ୍‌ ମ୍ୟାନେଜରଙ୍କୁ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ମାଳିସାହି ମସଜିଦ୍‌ କଲୋନିର ସେକ୍‌ ହବିଉଲ୍ଲା ଓରଫ ରାଜା (୨୩)। ଶନିବାର ସନ୍ଧ୍ୟାରେ ରାଜା ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଥିବା ଏକ ହୋଟେ୍‌ଲକୁ ଯାଇ ବଟି ମାଗିଥିଲା। ହେଲେ ହୋଟେଲ୍‌ କର୍ମଚାରୀମାନେ ବଟି ଦେଇନଥିଲେ। ଯାହାକୁ ନେଇ ହୋଟେଲ୍‌ କର୍ମଚାରୀଙ୍କ ସହ ରାଜାର ପାଟିତୁଣ୍ଡ ହୋଇଥିଲେ। ପାଟିତୁଣ୍ଡ ଶୁଣି ହୋଟେଲ୍‌ ମ୍ୟାନେଜର୍‌ ଆରି ପ୍ରତିବାଦ କରିଥିଲେ। ରାଜା ଉତ୍‌କ୍ଷିପ୍ତ ହୋଇ ଅଣ୍ଟାରେ ଥିବା ଏକ ଛୁରି ବାହାର କରି ଆରିଙ୍କୁ ଆକ୍ରମଣ କରିଥିଲା। ଏଥିରେ ଆରି ଆହାତ ହୋଇଥିଲେ। ଆକ୍ରମଣ ପରେ ରାଜା ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲା। ହେଲେ କର୍ମଚାରୀମାନେ ତାକୁ ଚତୁରତାର ସହ କାବୁ କରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଳେ। ପୁଲିସ ରାଜାକୁ ଗିରଫ କରି ତା’ଠାରୁ ଛୁରି ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ରାଜାକୁ କୋର୍ଟ ଚାଲାଣ କରିଛି।

 

 

ସମ୍ବନ୍ଧିତ ଖବର