ଖଣ୍ଡଗିରି : ବେଆଇନ ପାର୍କିଂ ଫି ଆଦାୟ, ୩ ଗିରଫ

ଖଣ୍ଡଗିରି : ଖଣ୍ଡଗିରି ପାହାଡ଼ ନିକଟରେ ଦୀର୍ଘ ଦିନ ଧରି ବେଆଇନ୍‌ ଭାବେ ପାର୍କିଂ ଫି’ ଆଦାୟ କରୁଥିବା ୩ ଜଣଙ୍କୁ ଆଜି ପୁଲିସ ଗିରଫ କରିଛି। ସେମାନେ ହେଲେ ପୁରୁଣାଭୁବନେଶ୍ବର ଅଞ୍ଚଳର ରାଜେଶ ପଣ୍ଡା(୩୩), ରୋହିତ ପଣ୍ଡା(୨୩) କପିଳେଶ୍ବର ଅଞ୍ଚଳର ଭରତ ନାୟକ(୨୭)। ପୁଲିସ ସେମାନଙ୍କଠାରୁ ୧୬ଟି ନକଲି ରସିଦ ବହି ଓ ୩୩୦୦ ଟଙ୍କା ଜବତ କରିଛି।

ପୁଲିସ ସୂଚନାନୁସାରେ ୩ ଅଭିଯୁକ୍ତ ବିଡିଏ ଓ ବିଏମ୍‌ସି ଲୋଗୋ ଥିବା ରସିଦ୍ ବହି ଧରି ପର୍ଯ୍ୟଟକଙ୍କଠାରୁ ପାର୍କିଂ ଫି’ ଆଦାୟ କରୁଥିଲେ। ବାଇକ୍ ପିଛା ୧୦ ଟଙ୍କା ଓ କାର୍ ପିଛା ୩୦ ଟଙ୍କା ଲେଖାଏ ଆଦାୟ କରୁଥିଲେ। ପୁଣି ବାଇକ୍ ଗୁଡ଼ିକୁ ରାସ୍ତା ଉପରେ ରଖୁଥିଲେ। ଗତକାଲି ଆଇଆଇସି ରଶ୍ମିରଂଜନ ମହାପାତ୍ର ରାସ୍ତା ଉପରେ ବାଇକ୍ ପାର୍କିଂ କରିବାକୁ ନେଇ ଆପତ୍ତି ଉଠାଇବା ପରେ ସେମାନେ ବିଏମ୍‌ସି ଓ ବିଡିଏ ଅନୁମତି କଥା କହି ଭୁଆଁ ବୁଲାଇଥିଲେ। ତେବେ ଶ୍ରୀ ମହାପାତ୍ର ବିଏମ୍‌ସି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତମାନେ ଅନୁମତି ପାଇନାହାନ୍ତି କି ସେମାନଙ୍କୁ ରସିଦ୍ ବହି ଯୋଗାଇ ଦିଆଯାଇନାହିଁ ବୋଲି ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ଆଇଆଇସି ଶ୍ରୀ ମହାପାତ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର