ଆଇପିଏସ୍‌ ଅଫିସରଙ୍କ ଘରୁ ଚୋରି ମାମଲା : ୩ ଗିରଫ, ୩ ଗ୍ୟାସ୍‌ ସିଲିଣ୍ଡର ଜବତ

ଭୁବ‌ନେଶ୍ବର : ଆଇପିଏସ୍‌ ଅଫିସର ସତ୍ୟଜିତ ନାୟକଙ୍କ ଘରୁ ଚୋରି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତକୁ କ୍ୟାପିଟାଲ ପୁଲିସ ଧରିବାରେ ସକ୍ଷମ ହୋଇଛି। ଗତ ରାତିରେ ସେମାନେ ଧରାପଡ଼ିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କେଦାରପଲ୍ଲୀ ବସ୍ତିର ଦୀପକ ନାୟକ, ସନ୍ତୋଷ ନାୟକ ଓ ବିଜୁ ନାୟକ। ସେମାନଙ୍କ ଠାରୁ ୩ଟି ସିଲିଣ୍ଡର ଓ ଆସବାବପତ୍ର ଜବତ ହୋଇଛି। ତାଲାବନ୍ଦ ବେଳେ ବିଭିନ୍ନ ଅଞ୍ଚଳରୁ ଏହି ତିନିଜଣିଆ ଗ୍ୟାଙ୍ଗ୍‌ ୧୫ରୁ ଊର୍ଦ୍ଧ୍ବ ଘର ଓ ଦୋକାନରୁ ଚୋରି କରିଥିବା ଜଣାପଡ଼ିଛି। ଏମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଯୋଜନା କରିଛି।

ସୂଚନ‌ା ମୁତାବକ, ଗତ ମେ’ ମାସ ୨୩ ତାରିଖରେ ଶିଶୁଭବନ ଛକରେ ଥିବା ଆଇପିଏସ୍‌ ଅପିସର ସତ୍ୟଜିତ ନାୟକଙ୍କ ସରକାରୀ କ୍ବାର୍ଟର୍ସରୁ ଚୋରି ହୋଇଥିଲା। ଗ୍ୟାସ୍‌ ସିଲିଣ୍ଡର ସହ କେତେକ ଆସବାବପତ୍ର ଚୋରି ହୋଇଥିଲା। ଘରେ କେହି ନ ଥିବା ବେଳେ କବାଟ ଭାଙ୍ଗି ଏମାନେ ଘରେ ପଶିଥିଲେ। ଘଟଣା ଜଣାପଡ଼ିବା ପରେ ପୁଲିସ ତନାଘନା ଚଳାଇ ଥିଲା।

ଗତ ବିଳମ୍ବିତ ରାତିରେ କେତେକ ଚୋରି ଜିନିଷକୁ ବିକ୍ରି କରିବା ପାଇଁ ବାପୁଜୀନଗର ଆସିଥିବା ବେଳେ ଖବର ପାଇ ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା। ତେବେ ଗ୍ୟାଙ୍ଗ୍‌ର ଆଉ କିଛି ସଦସ୍ୟ ଘଟଣାସ୍ଥଳରୁ ‌ଫେରାର୍ ହୋଇ ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର