୩ ବାଇକ୍‌ ଜବତ, ଦୁଇ ଗିରଫ

ଭୁବନେଶ୍ୱର): ବାଇକ୍‌ ଚୋରି ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସକୁ ଆଜି ସଫଳତା ମିଳିଛି। ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ର ଦୁଇ ସଦସ୍ୟଙ୍କୁ ଗିରଫ କରିବା ସହ ପୁଲିସ ସେମାନଙ୍କଠାରୁ ୩ଟି ଚୋରା ବାଇକ୍‌ ଜବତ କରିଛି। ଅଭିଯୁକ୍ତମାନେ ହେଲେ, ପୁରୀ ସଦର ଥାନା ଅଧୀନ ବଡ଼ପଲ୍ଲୀ ଗ୍ରାମର ରାଜେଶ ଖଣ୍ଡୁଆଳ ଓ ଗଞ୍ଜାମ ଜିଲ୍ଲା ଗୋଲଣ୍ଠରା ଥାନା ଅଧୀନ କାଣିସି ଗ୍ରାମର ରାଜା ପ୍ରଧାନ। ତେବେ ଏହି ଗ୍ୟାଙ୍ଗ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ସଂପର୍କରେ ପୁଲିସ ତନାଘନା ଚଳାଇଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର ଦୟାନିଧି ନାୟକ କହିଛନ୍ତି। ଅପରପକ୍ଷେ ଧରାପଡ଼ିଥିବା ଏହି ଅଭିଯୁକ୍ତଦ୍ବୟଙ୍କ ନାମରେ ଏହି ମାମଲା ବ୍ୟତୀତ ଆଉ ଦୁଇଟି ମାମଲା(୨୬/୧୯, ୨୮/୧୯) ରହିଛି। ବିଭିନ୍ନ ସମୟରେ ପୁଲିସ କରୁଥିବା ଯାଞ୍ଚ ସମୟରେ ଏହି ଚୋରା ବାଇକ୍‌ଗୁଡ଼ିକ ଧରାପଡ଼ିଛି। ଏଯାବତ୍‌ ଗାଡ଼ି ମାଲିକଙ୍କୁ ଠାବ କରାଯାଇ ନାହିଁ। ଗାଡ଼ିଗୁଡ଼ିକ ମଧ୍ୟରୁ ଗୋଟିଏ ପଲସର ହୋଇଥିବା ବେଳେ ଦୁଇଟି ହିରୋ ଗ୍ଲାମର ବୋଲି ଜଣାପଡ଼ିଛି। ଏମାନେ ଆଉ ‌କେତେକ ଗାଡ଼ି ଚୋରି କରି ବିଭିନ୍ନ ଜାଗାରେ ଶସ୍ତାରେ ବିକ୍ରି କରିଛନ୍ତି। ଫେରାର ଅଭିଯୁକ୍ତଙ୍କ ସହ ବିକ୍ରି କରିଥିବା ବିଭିନ୍ନ କ୍ରେତାଙ୍କ ଉପରେ ମଧ୍ୟ ଚଢ଼ଉ ଜାରି ରହିଛି। ଏକ ଲୁହା ତାର ସାହାଯ୍ୟରେ ଏମାନେ ଅତି ସହଜରେ ବାଇକ୍‌ ଲକ୍‌ ଖୋଲି ପାରୁଥିଲେ। ଗହଳି ସ୍ଥାନରେ ପାର୍କିଂ ସମୟରେ ଏମାନେ ଗାଡ଼ି ମାଲିକ ଗତିବିଧିକୁ ଲକ୍ଷ୍ୟ କରି ବାଇକ୍‌ ଚୋରି କରୁଥିଲେ। ଚେନ୍‌ ଲକ୍‌ ମଧ୍ୟ ଅତି ସହଜରେ ଖୋଲି ପାରୁଥିଲେ। ରାଜେଶ ଖଣ୍ଡୁଆଳଙ୍କ ନାମରେ ପୁରୀରେ ମଧ୍ୟ ଏଭଳି ବାଇକ୍‌ ଚୋରି ଅଭିଯୋଗ ରହିଛି। ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ଧରା ପଡ଼ିବା ପରେ ଆଉ କିଛି ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର