୩ କୋଟି ଚଳୁ, ଓରିସନ୍‌ ଇଞ୍ଜିନିୟର୍ସ ଏମ୍‌ଡି ଗିରଫ

ଭୁବନେଶ୍ୱର: ଜମି ଦେବାକୁ କହି ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ୍‌ ଓରିସନ୍‌ ଇଞ୍ଜିନିୟର୍ସର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କୁ ଗିରଫ କରିଛି। ୧୦ ଜଣ ଅଭିଯୋଗକୁ ଆଧାର କରି ସହିଦନଗର ଥାନା ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରିବା ସହ ଆଜି ମନୋଜଙ୍କୁ ଗିରଫ କରିଛି। ତାଙ୍କ ନାମରେ ସହିଦନଗର ଥାନାରେ ୩ଟି ଓ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ମାମଲା ରହିଛି। ‌୨୦୦୮ରୁ ୨୦୧୯ ମସିହା ମଧ୍ୟରେ ଏହି ସବୁ ଠକେଇ ମାମଲା ହୋଇଥିବା ପୁଲିସ କହିଛି।

ସୂଚନା ମୁତାବକ, ୨୦୦୮ ମସିହାରୁ ସେ ଓରିସନ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ଗଠନ କରିଥିଲେ। ସୁଲଭ ମୂଲ୍ୟରେ ଘରଡ଼ିହ ଦେବା ପାଇଁ ବିଜ୍ଞାପନ ଦେଇ କ୍ରେତାଙ୍କୁ ଆକୃଷ୍ଟ କରିଥିଲେ। ବିଜ୍ଞାପନ ଦେଖି ୧୦ ଜଣ କ୍ରେତା ୩ କୋଟି ୧୩ ଲକ୍ଷ ୯୦ ହଜାର ଟଙ୍କା ଜମା କରିଥିଲେ। ଏଥିରେ ଗାୟତ୍ରୀ ପଣ୍ଡାଙ୍କର ସର୍ବାଧିକ ୨୫ ଲକ୍ଷ ୨୦ ହଜାର ଟଙ୍କା ଥିଲା। ସେହିଭଳି ବେଦ ପ୍ରକାଶ ଦାସଙ୍କ ୨୦ ଲକ୍ଷ, ପ୍ରଣତି ନାୟକଙ୍କ ୧୮ ଲକ୍ଷ ୨୦ ହଜାର, କନକ ମଞ୍ଜରୀ କର ୧୮ ଲକ୍ଷ ୯୩ ହଜାର, ମନୋଜ ମଲ୍ଲ ୧୫ ଲକ୍ଷ ୮୫ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ସଂସ୍ଥା ଜମି ଦେଇ ନଥିଲା। କେତେକ ହତାଶ ହୋଇ ଟଙ୍କା ଫେରସ୍ତ ନେବାକୁ ଚାହିଥିଲେ। କିନ୍ତୁ ମନୋଜ ଆଉ ଧରାଛୁଆଁ ଦେଇନଥିଲେ। ଏଣୁ ହିତାଧିକାରୀମାନେ ଏକାଠି ହୋଇ ସହିଦନଗର ଥାନାରେ ଏତଲା ଦେଇଥିଲେ। ଆଉ ମଧ୍ୟ ଅନେକେ ଏଭଳି ଠକେଇର ଶିକାର ହୋଇଥିବା ପୁଲିସ ଅନୁମାନ କରୁଛି। ଏଣୁ ଅନ୍ୟମାନଙ୍କୁ ମଧ୍ୟ ଏତଲା ଦେବା ପାଇଁ ଆହ୍ବାନ କରିଛି।

ସମ୍ବନ୍ଧିତ ଖବର