୩ ଗଞ୍ଜେଇ ବେପାରୀ ଗିରଫ, କନ୍ଧମାଳରୁ କାର୍‌ରେ ହେଉଥିଲା ଚାଲାଣ

ଭୁବନେଶ୍ବର: ଆଚାର୍ଯ୍ୟବିହାର ନିକଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲସ୍‌ ଟେକ୍ନୋଲୋଜି (ଆଇଆଇଏମ୍‌ଟି) ସାମ୍ନାରୁ କମିସନରେଟ୍‌ ପୁଲିସର ଡ୍ରଗ୍ସ ଟାସ୍କଫୋର୍ସ ଆଜି ୨୫ କେଜି ଗଂଜେଇ ଜବତ କରିଛି। ଏହି ବେଆଇନ କାରବାରରେ ସଂପୃକ୍ତି ଅଭିଯୋଗରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ପିପିଲିର ଶେଖ୍ ଜମିଲ୍, କନ୍ଧମାଳର ଦୀପକ ଦିଗାଲ୍ ଓ ଗୌତମ ଦିଗାଲ୍। ଏମାନଙ୍କ ନାମରେ ସହିଦନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସେମାନଙ୍କ ନିକଟରୁ ୧୫ ହଜାର ୨୧୦ ଟଙ୍କା ଓ ଗଂଜେଇ ଚାଲାଣ ହେଉଥିବା ଏକ କାର୍‌କୁ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ କନ୍ଧମାଳରୁ ଗଂଜେଇ ଆଣି ଆଇଆଇଏମଟି ସାମ୍ନା‌ରେ ବେପାରୀଙ୍କୁ ବିକ୍ରି ପାଇଁ ଉଦ୍ୟମ ଚଳାଇଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ ଡ୍ରଗ୍ସ ଟାସ୍କଫୋର୍ସ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ତେବେ ଏହି ଗଂଜେଇ ଚାଲାଣ ପଛରେ କିଏ ମାଷ୍ଟରମାଇଣ୍ଡ, ଆଉ କେଉଁ ବେପାରୀଙ୍କ ହାତ ରହିଛି କି ନାହିଁ, ସେ ନେଇ ପୁଲିସ ଖୋଳତାଡ଼ କରୁଛି।

‌ସେହିପରି ଟାସ୍କଫୋର୍ସ ଜଟଣୀ ଆଇଆଇଟି ରୋଡ୍‌ ପୋଡ଼ାପଦା ଫ୍ଲାଏ-ଓଭର୍‌ ନିକଟରୁ ମଧ୍ୟ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୯ ଗ୍ରାମ ବ୍ରାଉନସୁଗାର, ୪୦ ହଜାର ୭୮୦ ଟଙ୍କା ଓ ଏକ ବାଇକ୍ ଜବତ ହୋଇଛି। ଅଭିଯୁକ୍ତଦ୍ବୟ ହେଲେ, ଜଟଣୀର ଅନିରୁଦ୍ଧ ବଳିୟାରସିଂ ଓରଫ୍ ଅନୁଆ ଓ ଖୋର୍ଦ୍ଧା ଗୁରୁଜଙ୍ଗର ରଞ୍ଜନ ସୁନ୍ଦରାୟ ଓରଫ ଗେଡୁ। ଏ ନେଇ ଜଟଣୀ ଥାନା ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଦ୍ବୟଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର