ଭୁବନେଶ୍ବର: ନର୍ସିଂ ପାଠ୍ୟକ୍ରମର ଜାଲ୍ ସାର୍ଟିଫିକେଟ୍ ଦେଇ ଜଣେ ମହିଳାଙ୍କଠାରୁ ୩ ଲକ୍ଷ ୩୦ ହଜାର ଟଙ୍କା ଠକେଇ ଘଟଣାରେ ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁ କରିଛି। ଠକେଇ ଅଭିଯୋଗ ଆଧାରରେ ଟଙ୍କପାଣି ରୋଡ୍ରେ ଥିବା ଆମାଜେ ଜୁନିୟର ସାଇନ୍ସ କଲେଜ ନିର୍ଦ୍ଦେଶିକା ସୁହାସିନା ଓଝା ଏବଂ କର୍ମଚାରୀ ସ୍ମୃତିରଞ୍ଜନ ଖୁଣ୍ଟିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏନେଇ ଥାନାରେ ଆଇପିସି ଦଫା-୪୦୬,୪୨୦, ୪୬୭, ୪୬୮, ୪୭୧ ଏବଂ ୩୪ରେ ମାମଲା ହୋଇଛି।
ଅଭିଯୋଗରୁ ଜଣାପଡ଼ିଛି, ଚନ୍ଦ୍ରଶେଖରପୁର ଅଞ୍ଚଳର ରଶ୍ମିତା ଜେନା ବିଏସ୍ସି ନର୍ସିଂ ପାଠ୍ୟକ୍ରମ ପାଇଁ ସମ୍ପୃକ୍ତ କଲେଜ ସହ ଯୋଗାଯୋଗ କରିଥିଲେ। ଏହି ପାଠ୍ୟକ୍ରମ ପାଇଁ ମୋଟ ୩ ଲକ୍ଷ ୩୦ହଜାର ଟଙ୍କା ଖର୍ଚ ହେବ ବୋଲି କଲେଜର ନିର୍ଦ୍ଦେଶିକା ତାଙ୍କୁ କହିଥିଲେ। ପରେ ସେ ସେଠାରେ ଆଡ୍ମିସନ୍ କରାଇଥିଲେ। ୨୦୧୫, ୨୦୧୬ ଓ ୨୦୧୮ର ବିଭିନ୍ନ ପର୍ଯ୍ୟାୟରେ ସମ୍ପୃକ୍ତ କଲେଜର ନିର୍ଦ୍ଦେଶିକା ତାଙ୍କଠାରୁ ୩ ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ। ସେହି କଲେଜରେ ରଶ୍ମିତା ପରୀକ୍ଷା ଦେଇ ପାସ୍ କରିଥିଲେ। ଆଡମିସନ୍ ସମୟରେ ଏହାର ଷ୍ଟଡି ସେଣ୍ଟର ଦରଭଙ୍ଗାସ୍ଥିତ ଲଳିତ ନାରାୟଣ ବିଶ୍ବବିଦ୍ୟାଳୟ ବୋଲି କଲେଜ ପକ୍ଷରୁ କୁହାଯାଇଥିଲା। ପରୀକ୍ଷାର କିଛି ଦିନ ପରେ ଅର୍ଥାତ୍ ୨୦୧୮ରେ ମହିଳାଙ୍କୁ ସାର୍ଟିଫିକେଟ୍ ମିଳିଥିଲା। ସେ ଉକ୍ତ ସାର୍ଟିଫିକେଟ୍କୁ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍ ନର୍ସିଂ କାଉନସିଲ୍ରେ ଦାଖଲ କରି ନିଯୁକ୍ତି ଆବେଦନ କରିଥିଲେ। କିନ୍ତୁ ନିର୍ଦେଶାଳୟ ପକ୍ଷରୁ ଉକ୍ତ ସାର୍ଟିଫିକେଟ୍ ଜାଲ୍ ବୋଲି କୁହାଯାଇଥିଲା। ସେ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇବା ପରେ ରଶ୍ମିତା ଓ ତାଙ୍କ ସ୍ବାମୀ କଲେଜ ନିର୍ଦେଶିକା ସୁହାସିନୀ ଓ କର୍ମଚାରୀ ସ୍ମୃତିରଞ୍ଜନଙ୍କୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ କେହି ଆଉ ଧରାଛୁଆଁ ଦେଇ ନଥିଲେ। ଗତକିଛି ଦିନ ତଳେ ନିର୍ଦ୍ଦେଶିକାଙ୍କୁ ଠାବ କରି ପୁଲିସ ସହାୟତାରେ ବଡ଼ଗଡ଼ ଥାନାକୁ ଆଣିଥିଲେ। ଟଙ୍କା ଫେରସ୍ତ କରିବେ ବୋଲି ପୁଲିସ ଉପସ୍ଥିତିରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ଆଉ ଟଙ୍କା ମିଳି ନ ଥିଲା କି ସେମାନଙ୍କ ଧରାଛୁଆଁ ମିଳି ନ ଥିଲା ବୋଲି ଅଭିଯୋଗକାରୀ କହିଛନ୍ତି। ସବୁଆଡ଼ୁ ନିରାଶ ହେବା ପରେ ରଶ୍ମିତା ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।