ଭୁବନେଶ୍ୱର: କମିସନରେଟ୍ ପୁଲିସ କବ୍ଜାରେ ପୁଣି ଏକ ଲେଡି ଲୁଟେରା ଗ୍ୟାଙ୍ଗ୍। ଲିଫ୍ଟ ମାଗିବା ବାହାନାରେ ଦୀର୍ଘ ଦିନ ଧରି ଲୁଟପାଟ ଚଳାଇ ଆସୁଥିବା ଏହି ଗ୍ୟାଙ୍ଗ୍ର ୩ ମହିଳାଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ବୁଧବାର ରାତିରେ ଏମାନେ ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ଥିବା ଫାଣ୍ଡି ସାମ୍ନାରୁ ଜଣେ କାର୍ ଚାଳକଙ୍କୁ ଲିଫ୍ଟମାଗି ୫ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ଲାପଟପ୍ ଲୁଟ୍ କରିଥିଲେ। ସେମାନେ ହେଲେ ସାଲିଆସାହି ଅଞ୍ଚଳର କାଦମ୍ବିନୀ ରାଉତ ଓରଫ ବର୍ଷା(୨୫), ଚିନ୍ମୟୀ ଜେନା ଓରଫ ଚିନୁ(୨୮) ଓ କେସୁରା ଅଞ୍ଚଳର ବିଦୁଲତା ସ୍ୱାଇଁ(୫୨)। ତେବେ କାଦମ୍ବିନୀର ଘର ଯାଜପୁର ଜିଲ୍ଲା ବରି ଅଞ୍ଚଳ ହୋଇଥିବା ବେଳେ ଚିନ୍ମୟୀର ଘର ଜଗତସିଂହପୁର ବାଲିକୁଦା ଅଞ୍ଚଳ ବୋଲି ଜଣାପଡ଼ିଛି।
ପୁଲିସ ସୂଚନା ମୁତାବକବ, ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ନିରଞ୍ଜନ ବେହେରା ନାମକ ଜଣେ କାର୍ ଚାଳକ କେନ୍ଦୁଝରରୁ ତାଙ୍କ ମାଲିକଙ୍କୁ ଆଣି ଭୁବନେଶ୍ୱର ରେଳଷ୍ଟେସନ୍ରେ ଛାଡ଼ିଥିଲେ। ଏହା ପରେ ନିରଞ୍ଜନ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଖାଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଲୁଟ୍ ପାଇଁ ଯୋଜନା କରି ଜଗି ରହିଥିବା ବର୍ଷା, ଚିନ୍ମୟୀ ଓ ବିଦୁଲତାଙ୍କ ନଜର ନିରଞ୍ଜନଙ୍କ ଗାଡ଼ି ଉପରେ ପଡ଼ିଥିଲା। ତେବେ ନିରଞ୍ଜନ ଗାଡ଼ି ପାଖକୁ ଆସିବା ପୂର୍ବରୁ ତିନିଜଣ ଯାକ ଗାଡ଼ି ସମ୍ମୁଖରେ ଠିଆ ହୋଇ ରହିଥିଲେ। ନିରଞ୍ଜନ ଗାଡ଼ି ଡୋର ଖୋଲିବା ମାତ୍ରେ ତିନିଜଣ ଗାଡ଼ି ଭିତରକୁ ପଶିଯାଇଥିଲେ। ନିରଞ୍ଜନ ସେମାନଙ୍କୁ ଗାଡ଼ିରୁ ବାହାରିବାକୁ କହିଥିଲେ। ହେଲେ ସେମାନେ ବଡ଼ ସମସ୍ୟାରେ ପଡ଼ିଛନ୍ତି ବୋଲି କହି କାନ୍ଦି ପକାଇଥିଲେ। ପାଖରେ ଟଙ୍କା ନ ଥିବାରୁ ଘରକୁ ଯାଇପାରିବୁନି, ଆମକୁ ଟିକେ ଛାଡ଼ିଦିଅ କହିଥିଲେ। ନିରଞ୍ଜନ ସେମାନଙ୍କ ଚାଲ୍ ବୁଝିନପାରି ଏଥିରେ ରାଜି ହୋଇ ଯାଇଥିଲେ। ତେବେ କିଛିବାଟ ଯିବା ପରେ ଚିନ୍ମୟୀ ନିରଞ୍ଜନଙ୍କ ପକେଟ୍ରୁ ମୋବାଇଲ୍ ଓ ଟଙ୍କା କାଢ଼ିଥିଲେ। ଏସବୁ କ’ଣ ହେଉଛି ବୋଲି ନିରଞ୍ଜନ କହିବାରୁ ତିନି ଜଣ ଯାକ ନିରଞ୍ଜନ ଉପରକୁ ମାଡ଼ିଆସିଥିଲେ। ଯଦି ଭଲରେ ଭଲରେ ଆମ କଥା ନ ମାନିବୁ ଲୋକଙ୍କୁ ଡାକିବୁ। ଆମକୁ ଅପହରଣ କରି ଖରାପ କାମରେ ଲଗାଇବାକୁ ନେଉଛୁ ବୋଲି କହିବୁ। ଲୁଟେରାମାନଙ୍କ କଥା ଶୁଣିବା ପରେ ନିରଞ୍ଜନ ଭୟଭୀତ ହୋଇ କ’ଣ କରିବେ ଚିନ୍ତାରେ ପଡ଼ିଯାଇଥିଲେ। ସେ ଗାଡ଼ିକୁ ଥାନାକୁ ନେବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ନିକଟରେ କୌଣସି ଥାନା ନ ପାଇବାରୁ ଚନ୍ଦ୍ରଶେଖରପୁର ଆଡ଼କୁ ଚାଲିଯାଇଥିଲେ। ସେଠାରେ ପେଟ୍ରୋଲ୍ ପମ୍ପ ଖୋଲାଥିବା ଦେଖି ଗାଡ଼ିକୁ ପେଟ୍ରୋଲ୍ ପମ୍ପ ଆଡ଼କୁ ନେଇଯାଇଥିଲେ। ସେଠାରେ ନିରଞ୍ଜନ ଗାଡ଼ିରୁ ଓହ୍ଲାଇ ଚିତ୍କାର କରି ସାହାଯ୍ୟ ମାଗିଥିଲେ। ଏହି ସମୟରେ ଲୁଟେରାମାନେ ତୁରନ୍ତ ଗାଡ଼ିରୁ ବାହାରି ଦୌଡ଼ି ପଳାଇଥିଲେ।
ଏନେଇ ନିରଞ୍ଜନ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗୁରୁବାର ସକାଳୁ ପୁଲିସର ଏକ ଟିମ୍ ନିରଞ୍ଜନକୁ ଧରି ରେଳଷ୍ଟେସନ୍ରେ ଚକ୍କର କାଟିଥିଲା। ଲୁଟେରାମାନେ ସେଠାରେ ଆଉ ଏକ ଲୁଟ୍ ଯୋଜନା କରୁଥିବା ବେଳେ ପୁଲିସ ସେଠାରୁ ୩ଜଣ ଲୁଟେରାଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ସେମାନେ ନିରଞ୍ଜନଠାରୁ ଲୁଟ୍ କରିଥିବା ମାନିଥିଲେ। ପୁଲିସ ସେମାନଙ୍କଠାରୁ ୫ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ଲାପଟପ୍ ଜବତ ପରେ କୋର୍ଟ ଚାଲାଣ କରିଥିଲା।
ରାଜଧାନୀରେ ଏଭଳି ଲେଡି ଲୁଟେରା ଗ୍ୟାଙ୍ଗ୍କୁ କମିସନରେଟ ପୁଲିସ ଗିରଫ କରିବା ନୂଆ କଥା ନୁହେଁ। ଏହା ପୂର୍ବରୁ ଖଣ୍ଡଗିରି, ମଞ୍ଚେଶ୍ୱର, ଖାରବେଳନଗର ଓ ବଡ଼ଗଡ଼ ଥାନା ପୁଲିସ ଏକାଧିକ ଲେଡି ଲୁଟେରା ଗ୍ୟାଙ୍ଗ୍ର ସଦସ୍ୟାମାନଙ୍କୁ ଗିରଫ କରିଛି।