୩ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କାର ତାର ଜବତ

ଭୁବନେଶ୍ୱର: ଗ୍ରିଡ୍‌କୋ ଅଫିସ୍‌ରୁ ବିଦ୍ୟୁତ ତାର ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ୩ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ତାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସେମାନେ ହେଲେ କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ସନ୍ତୋଷ ବେହେରା(୩୪), ଜଗତସଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ରଣଜିତ ବିଶ୍ୱାଳ(୨୧) ଓ କେନ୍ଦୁଝର ଜିଲ୍ଲା ଜେନାପଡ଼ା ଅଞ୍ଚଳର ବିଭୁରଞ୍ଜନ ତ୍ରିପାଠୀ(୩୬)। ଗତ ଫେବ୍ରୁଆରି ୨୦ ତାରିଖ ରାତିରେ ସନ୍ତୋଷ, ରଣଜିତ ଓ ବିଭୁରଞ୍ଜନ ସହିଦ୍‌ନଗର ସ୍ଥିତ ଗ୍ରିଡ୍‌କୋ ଅଫିସ୍‌ରେ ପଶିଥିଲେ। ଏହାପରେ କଣ୍ଟ୍ରୋଲ ରୁମ୍‌ କବାଟ ଭାଙ୍ଗି ସେଠାରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ତାର ଓ ଅନ୍ୟାନ୍ୟ ଉପକରଣ ଲୁଟି ନେଇଥିଲେ। ଏନେଇ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗୁରୁବାର ରାତିରେ ପୁଲିସ ପ୍ରଥମେ ବିଭୁକୁ ଗିରଫ କରିବା ପରେ ବିଶ୍ୱେଶ୍ୱର ବସ୍ତିରେ ଥିବା ସନ୍ତୋଷଙ୍କ ଘରେ ଚଢ଼ଉ କରି ଲୁଟ୍‌ ତାର ଜବତ କରିବା ସହ ତାକୁ ଗିରଫ କରିଥିଲା। ପରେ ରଣଜିତ୍‌କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର