ଡକାୟତି ଯୋଜନା ପଣ୍ଡ : ୩ ଗିରଫ, ତିନି ଫେରାର୍‌

ଗୋଟିଏ ବନ୍ଧୁକ, ୪ ଗୁଳି ଓ ୨ ବାଇକ୍‌ ଜବତ

ଭୁବନେଶ୍ୱର : ଭୋଟପଡ଼ା କେନାଲ୍‌ରୋଡ୍‌ ଅଞ୍ଚଳରେ ଏକ ଡକାୟତି ଯୋଜନାକୁ ମଞ୍ଚେଶ୍ୱର ଥାନା ପୁଲିସ ପଣ୍ଡ କରିଛି। ଡକାୟତ ଗ୍ୟାଙ୍ଗର ୩ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେଠାରୁ ଆଉ ୩ ଫେରାର ହୋଇଯାଇଛନ୍ତି। ପୁଲିସ ଗିରଫ କରିଥିବା ଡକାୟତମାନଙ୍କଠାରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି, ୨ଟି ବାଇକ୍‌ ଓ କେତେକ ମାରଣାସ୍ତ୍ର ଜବତ କରିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଜଗନ୍ନାଥ ପଲ୍ଲେଇ, ବ୍ରହ୍ମପୁର ଅଞ୍ଚଳର ଜର୍ଜ ମଲ୍ଲିକ ଓ ଚନ୍ଦକା ଅଞ୍ଚଳର ମକରା ମହାରଣା।

ପୁଲିସ ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ସମୟରେ ଜଗନ୍ନାଥ, ଜର୍ଜ, ମକରା ଓ ସେମାନଙ୍କ ସହଯୋଗୀମାନେ ଭୋଟପଡ଼ା କେନାଲ୍‌ରୋଡ୍‌ରେ ଥିବା ଏକ ନିଛାଟିଆ ଜାଗାରେ ବସି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ କାବୁ କରିବା ପାଇଁ ବାଇକ୍‌ରେ ପୁଲିସର ଦୁଇ ଜଣ କର୍ମଚାରୀ ସାଦା ପୋଷାକରେ ଯାଇଥିଲେ। ପଛେ ପଛେ ମଞ୍ଚେଶ୍ୱର ଥାନା ପୁଲିସ ଟିମ୍‌ ୨ଟି ଭ୍ୟାନ୍‌ରେ ଯାଇଥିଲା। ବାଇକ୍‌ରେ ଯାଇଥିବା ପୁଲିସ କର୍ମଚାରୀମାନେ ଡକାୟତମାନେ ବସିଥିବା ସ୍ଥାନ ଆଡ଼କୁ ଯାଇଥିଲେ। ଆଉ ୨ଟି ଭ୍ୟାନ୍‌ କିଛି ଦୂରେରେ ରହିଥିଲା। ବାଇକ୍‌ରେ ଯାଉଥିବା ପୁଲିସ କର୍ମଚାରୀଙ୍କୁ ଦେଖି ଦୁର୍ବୃତ୍ତମାନେ ସେମାନଙ୍କ ନିକଟକୁ ଚାଲିଆସି ଅଟକାଇଥିଲେ। ପୁଲିସ କର୍ମଚାରୀଙ୍କୁ ଅଟକିବା ମାତ୍ରେ କିଛି ଦୂରରେ ଥିବା ପୁଲିସର ୨ଟି ଭ୍ୟାନ୍‌ ତୁରନ୍ତ ଦୁର୍ବୃତ୍ତ ଆଗ ଓ ପଛ ହୋଇ ଘେରିଯାଇଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଖସିପଳାଇବାକୁ ଉଦ୍ୟମ କରିଥିଲେ। ଏମିତିକି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ହେଲେ ପୁଲିସ ୩ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅନ୍ୟ ୩ଜଣ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପୁଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି, ୨ଟି ବାଇକ୍‌ ଓ କେତେକ ମାରଣାସ୍ତ୍ର ଜବତ କରିଥିଲା। ଏନେଇ ପୁଲିସ ମାମଲା ରୁଜୁ କରି ୩ ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରିଛି। ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ପ୍ରକାଶ ଥାଉକି, ପୂର୍ବରୁ ୩ ଡକାୟତଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ମକରା ନାମରେ ରାଜଧାନୀର ବିଭିନ୍ନ ଥାନାରେ ୧୨ରୁ ଅଧିକ ମାମଲା ରହିଛି। ସେହିପରି ଜଗନ୍ନାଥ ନାଁରେ ଆସ୍କାରେ ୮ରୁ ଅଧିକ ଓ ଜର୍ଜ ନାମରେ ଅନୁଗୁଳ ଓ ବହ୍ମପୁର ଥାନାରେ ୪ରୁ ଅଧିକ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର