କୁଖ୍ୟାତ ମାନା ସମେତ ୩ ଗିରଫ

ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଉଦ୍ୟମ

ବନ୍ଧୁକ, ଛୁରି,୨ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ୱର : କେଶୁରା ରୋଡ୍‌ରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ମାନଙ୍କଠାରୁ ଗୋଟିଏ ବନ୍ଧୁକ, ଛୁରି, ୨ ବାଇକ୍‌ ଓ ୨ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ବାଲିଅନ୍ତା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ପ୍ରେମାନନ୍ଦ ଭୋଇ ଓରଫ ମାନା(୪୫), ନହରକଣ୍ଟା ଅଞ୍ଚଳର ସୁବ୍ରତ କୁମାର ଦାସ(୧୮) ଓ ଚନ୍ଦ୍ରଶେଖର ମହାନ୍ତି(୧୮)।

ପୁଲିସ ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ହିମାଂଶୁ ଭୂଷଣ ମହାପାତ୍ର ନାମକ ଜଣେ ଯୁବକ ତାଙ୍କର ଦୁଇଜଣ ବନ୍ଧୁଙ୍କ ସହ କଟକରୁ ଝାରପଡ଼ାସ୍ଥିତ ଘରକୁ ଫେରୁଥିଲେ। ସେ କେଶୁରା ଛକ ନିକଟରେ ଲକ୍ଷ୍ମୀସାଗର ଆଡ଼କୁ କାର୍‌ ବୁଲାଉଥିବା ସମୟରେ ତାଙ୍କୁ ପିଛା କରୁଥିବା ଦୁଇଟି ବାଇକ୍‌ ସେମାନଙ୍କ ଆଗରେ ଅଟକି ରହିଥିଲା। ବାଇକ୍‌ରେ ଥିବା ମାନା, ସୁବ୍ରତ ଓ ଚନ୍ଦ୍ରଶେଖର ହିମାଂଶୁଙ୍କୁ ବାଟଛାଡ଼ି ନଥିଲେ। ଫଳରେ ହିମାଂଶୁ ଗାଡ଼ି ରଖି ପାଟି କରିଥିଲେ। ହିମାଂଶୁ ଗାଡ଼ି ଅଟକାଇବା ମାତ୍ରେ ମାନା ଓ ତାର ସହଯୋଗୀମାନେ ତୁରନ୍ତ ସେମାନଙ୍କ ନିକଟକୁ ଯାଇ ବନ୍ଧୁକ ଓ ଛୁରି ଦେଖାଇ ଲୁଟ୍‌ପାଟ ଉଦ୍ୟମ କରିଥିଲେ। ତେବେ ପାଟିତୁଣ୍ଡ ଶୁଣି ପଛରୁ ଆସୁଥିବା ଏକ ପିସିଆର୍‌ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ମାନା ଓ ତାର ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନଥିଲେ। ପୁଲିସ ସେମାନଙ୍କୁ କାବୁ କରି ଯାଞ୍ଚ କରିଥିଲା। ପୁଲିସ ମାନା ଅଣ୍ଟାରୁ ଏକ ବନ୍ଧୁକ ଜବତ କରିଥିବା ବେଳେ ସୁବ୍ରତଠାରୁ ଛୁରି ଜବତ କରିଥିଲା। ପୁଲିସ ମାନା, ସୁବ୍ରତ ଓ ଚନ୍ଦ୍ରଶେଖରକୁ ଗିରଫ କରିବା ସହ ୨ଟି ବାଇକ୍‌କୁ ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ମାନା, ସୁବ୍ରତ ଓ ଚନ୍ଦ୍ରଶେଖରକୁ ଅଟକ ରଖି ପଚରାଉଚରା କରୁଛି। ତେବେ ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ମାନା ନାଁରେ ବାଲିଅନ୍ତା, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ଖଣ୍ଡଗିରି ଆଦିି ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସେ ପୂର୍ବରୁ ବହୁବାର ଗିରଫ ହୋଇ ଜେଲ୍‌ ଯାଇଛି। ତେବେ ଗତ କିଛିଦିନ ତଳେ ଜେଲ୍‌ରୁ ଫେରିବା ପେର ମାନା ପୁଣି ନିଜର ଅପରାଧିକ କାରନାମା ଆରମ୍ଭ କରିଦେଇଥିଲା।

ସମ୍ବନ୍ଧିତ ଖବର