ପ୍ରଥମେ ବାଇକ୍‌ ଚୋରି, ପରେ ‘ସରି’ ଲେଖି ଫେରେଇଲେ ଗାଡ଼ି!

ଭୋସାରି: ଚାଳକଙ୍କୁ ବନ୍ଧୁକ ଦେଖାଇ ବାଇକ୍‌ ଚୋରି କରିବା ପରେ ଲୁଟେରାମାନେ ‘ସରି’ ଲେଖି ବାଇକ୍‌ ଫେରସ୍ତ କରିବା ଘଟଣା ଏବେ ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟଜନକ ବାତାବରଣ ସୃଷ୍ଟି କରିଛି। ମହାରାଷ୍ଟ୍ରରେ ଥିବା ଭୋସରିର ଇନ୍ଦ୍ରାଣିନଗର ନିକଟସ୍ଥ ପିମ୍ପରି ଚିନ୍‌ଚ୍ଵାଦ୍‌ ମହାନଗର ନିଗମର ପ୍ରାଥମିକ ସ୍କୁଲ୍‌ ପାଖାପାଖି ଶନିବାର ଅପରାହ୍ନ ୩.୪୫ ସମୟ ଏକ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ୩ ଅଭିଯୁକ୍ତ ଚାଳକଙ୍କୁ ବନ୍ଧୁକ ଦେଖାଇ ବାଇକ୍‌ଟିକୁ ଲୁଟ୍‌ କରି ପରେ ‘ସରି’ ଲେଖି ଫେରସ୍ତ କରିଥିବା ଜାଣିବାକୁ ମିଳିଛି। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଭୋସିର ପୁଲିସ୍‌ ନିଖିଲ ଭଗତ(୨୪) ନାମକ ଅଭିଯୁକ୍ତକୁ ଗିରଫ କରିଛି।

ଉଲ୍ଳେଖଯୋଗ୍ୟ, କଣ୍ଟ୍ରାକ୍ଟର ନିଲେସ ପାଓ୍ଵାର(୨୫) ନାମକ ବ୍ୟକ୍ତି ନିଜ ବାଇକ୍‌ ଧରି ତାଙ୍କ ସଂପର୍କୀୟ ଭାଇଙ୍କ ପାଖରେ ଠିଆ ହୋଇଥାନ୍ତି। ସେତିକି ବେଳେ ହଠାତ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ତାଙ୍କ ଗାଡ଼ି ଚାବି ମାଗିଥଲେ। ଗାଡ଼ି ଚାବି ଦେବାକୁ ନିଲେସ ମନା କରିବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ନିଲେସ ଭୟରେ ଚାବି ଦେଇ ଦେବାରୁ ସେମାନେ ଜୋର୍‌ କରି ଗାଡ଼ି ଚଳାଇ ସେଠାରୁ ପଳାଇ ଯାଇଥିଲେ। ଏ ସଂପର୍କରେ ନିଲେସ ପାଓ୍ଵାର(୨୫) କହନ୍ତି, ‘ଶନିବାର ଚୋରି ହୋଇଥିବା ମଟରସାଇକେଲ ରବିବାର ଦିନ ଚୋରି ହୋଇଥିବା ସ୍ଥାନରେ ସେହିପରି ଥୁଆ ହୋଇଥିଲା। ଖାଲି ସେତିକି ନୁହେଁ ମଟରସାଇକେଲ୍‌ରେ ‘ସରି’ ମଧ୍ୟ ଲେଖାଯାଇଥିଲା।

ଏ ସଂକ୍ରାନ୍ତରେ ଭୋସରି ପୁଲିସ୍‌ ବୟାନ ଦେଇଛି ଯେ ଅଭିଯୋଗ ପାଇବା ପରେ ପୁଲିସ୍‌ ତୁରନ୍ତ ଅଭିଯୁକ୍ତମାନଙ୍କ ପିଛା କରିଥଲା। ସେହି ସମୟରେ ଗାଡ଼ି ଚଳାଉଥିବା ଜଣେ ଅଭିଯୁକ୍ତ ଅଣଆୟତ୍ତ ହୋଇ ପଡ଼ିବାରୁ ଗାଡ଼ିରୁ ଖସି ପଡ଼ିଥିଲା। ଖସିପଡ଼ିଥିବା ଅଭିଯୁକ୍ତଙ୍କୁ ପୁଲିସ୍‌ ଧରି ହେପାଜତରେ ରଖିଛି। ବାକି ୨ ଜଣଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର