କୋଲକାତା: ରବିବାର ପ୍ରତ୍ୟୁଷରେ ଆଲିପୁର କେନ୍ଦ୍ରୀୟ କାରଗାରରୁ ତିନି ଜଣ ବାଂଲାଦେଶୀ କଏଦୀ ଖସି ପଳାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ ସାବ୍ୟସ୍ତ ଏବଂ ବାକି ଦୁଇ ଜଣ ବିଚାରାଧୀନ କଏଦୀ ଥିଲେ। ସେମାନେ ରହୁଥିବା ଜେଲ୍ କୋଠରି ଦୁଆରେ ଲାଗିଥିବା ଲୁହା ରେଲିଙ୍ଗ୍କୁ ଆରିପାତରେ କାଟି ବାହାରି ଆସିଥିଲେ। ତା’ପରେ ତିନିହେଁ ୯ଟି ଚିରା କପଡ଼ା ଓ ବେଡ୍ସିଟ୍ ଯୋଗେ ୨୦ ଫୁଟ୍ ଉଚ୍ଚ ଜେଲ୍ ପାଚେରି ଚଢ଼ି ଖସି ପଳାଇଥିଲେ। ଜେଲ୍ କର୍ତ୍ତୃପକ୍ଷ ଗତ ସପ୍ତାହରେ ସେମାନଙ୍କୁ ଏହି କପଡ଼ାଲତା ଯୋଗାଇ ଦେଇଥିଲେ। ସେ ତିନି କଏଦୀ ହେଲେ ୨୬ ବର୍ଷିୟ ଏମୋନ ଚୌଧୁରୀ, ୨୯ ବର୍ଷିୟ ଫିର୍ଦୌସ୍ ଶେଖ୍ ଏବଂ ୨୪ ବର୍ଷିୟ ଫାରୁକ୍ ହାଲ୍ଦାର୍। ସକାଳ ୬ ହାଜିରା ସମୟରେ ସେମାନେ ନ ଥିବା ଦେଖା ଯାଇଥିଲା।
ସେମାନେ ରହୁଥିବା ବାରାକ୍ ୧ର ୭ ନମ୍ବର ଓ୍ଵାର୍ଡରେ ଅନ୍ୟ କେତେ ଜଣ କଏଦୀ ମଧ୍ୟ ରହିଥିଲେ। କିନ୍ତୁ ଦେଢ଼ ଇଞ୍ଚିଆ ଲୁହା ରଡ୍ କାଟିବା ସମୟରେ କାହା ନିଦ ଭାଙ୍ଗିଲା ନାହିଁ କେମିତି?
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ତିନିହେଁ ସେଠାରେ ଥିବା ଅନ୍ୟ କଏଦୀମାନଙ୍କୁ ନିଦ୍ରାକାରକ ନିଶାଦ୍ରବ୍ୟ ଖୁଆଇ ଦେଇଥିଲେ। କୋଠରିରୁ ପଦାକୁ ବାହାରି ୪୦୦ ମିଟର ଯିବା ପରେ ଜେଲ୍ ପାଚେରି ପାଖରେ ଥିବା ଏକ ପିଜୁଳିଗଛରେ ଚଢ଼ି ଥିଲେ। ତା’ପରେ ଇଂରାଜୀ ଅକ୍ଷର ଏଲ୍ ଆକୃତିର ଏକ ଲୁହା ପାଣି ପାଇପ୍କୁ ହୁକ୍ ଏବଂ ବେଡ୍ସିଟ୍କୁ ଦଉଡ଼ି କରି ସେମାନେ ୨୦ ଫୁଟ୍ ଉଚ୍ଚ ପାଚେରି ଚଢ଼ିଥିଲେ।
ଜେଲ୍ ଗାର୍ଡ କିଂବା ଓ୍ଵାଚ୍ଟାଓ୍ଵାର୍ସରେ ଥିବା ଗାର୍ଡମାନେ ମଧ୍ୟ ଏହା ଲକ୍ଷ କରି ପାରି ନ ଥିଲେ। ଏହା ତିନି କଏଦୀଙ୍କର ଦୀର୍ଘ ଦିନର ଯୋଜନା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସପ୍ତାହରୁ ଅଧିକ ଦିନ ହେବ ସେମାନେ ଧୀରେ ଧୀରେ ଲୁହା ରେଲିଙ୍ଗ୍ କାଟିବା ଆରମ୍ଭ କରିଥିଲେ। କଟା ଶବ୍ଦ ନ ଶୁଭିବାକୁ ସେମାନେ ଗୀତ ଗାଉଥିଲେ। ତା’ଛଡ଼ା କୌଶଳରେ ଅନ୍ୟ କଏଦୀମାନଙ୍କୁ ସାମାନ୍ୟ ନିଦ୍ରାକାରକ ନିଶା ଦ୍ରବ୍ୟ ଦେଉଥିଲେ। ଜେଲ୍ କ୍ୟାଣ୍ଟିନ୍କୁ ଆସିଥିବା ଜୟନଗରର ମୋୟା ନାମକ ପାନୀୟରେ ସେମାନେ ଏହି ନିଶା ମିଶାଉ ଥିବା ଜଣାପଡ଼ିଛି।