୩ କ୍ୱିଣ୍ଟାଲ୍‌ କାଠ କୋଇଲା ଜବତ : ୩ ଚୋରା ବେପାରୀ ଗିରଫ

ଖଣ୍ଡଗିରି : ରାଜଧାନୀରେ ଚୋରା କାଠ କୋଇଲା ବେପାର କରୁଥିବା ଅଭିଯୋଗରେ ଶୁକ୍ରବାର ଚନ୍ଦକା ବନ ବିଭାଗ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାରଙ୍ଗରେ ରହୁଥିବା ନୟାଗଡ଼ ଖଣ୍ଡପଡ଼ାର ଟୁଲୁ ପ୍ରଧାନ(୩୧), ଚନ୍ଦ୍ରଶେଖରପୁରରେ ରହୁଥିବା ଯାଜପୁରର ସତ୍ୟଜିତ୍‌ ପ୍ରଧାନ(୩୪) ଓ ମଞ୍ଚେଶ୍ୱରରେ ରହୁଥିବା ବାଲେଶ୍ୱରର ଚିତ୍ତରଂଜନ ନାୟକ(୩୦)। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କଠାରୁ ୩ କ୍ୱିଣ୍ଟାଲ କାଠ କୋଇଲା ବୋଝେଇ ହୋଇଥିବା ଏକ ମାଲବାହୀ ଅଟୋ(ଓଡି୦୨କ୍ୟୁ-୮୮୯୭) ଜବତ କରାଯାଇଛି। ଜବତ କୋଇଲାର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜବତ କୋଇଲା ଆଠଗଡ଼ ଓ ଢେଙ୍କାନାଳ ଜଙ୍ଗଲରୁ ଆସୁଥିବା ଜଣାପଡ଼ିଛି।

ସୂଚନାନୁସାରେ ଆଜି ଚନ୍ଦକା ବନ୍ୟପ୍ରାଣୀ ଉପଖଣ୍ଡ ଭୁବନେଶ୍ୱର ରେଂଜ୍‌ର ଏକ ପାଟ୍ରୋଲିଂ ସ୍କ୍ଵାଡ୍‌ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଛକି ବସିଥିଲା। ଡିଏଫ୍‌ଓ କେଦାର କୁମାର ସ୍ୱାଇଁଙ୍କ ନିର୍ଦେଶାନୁସାରେ ଓ ରେଂଜର୍‌ ଅଶୋକ ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ଟିମ୍‌ ଏକ କୋଇଲା ବୋଝେଇ ଗାଡ଼ିକୁ ଜବତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ଏହି ଟିମ୍‌ରେ ଫରେଷ୍ଟର ସମୀର କୁମାର ବେହେରା, ଆଦିତ୍ୟ କୁମାର ହାତୀ, ବିରାଜ ଦାସ, ଲୋକନାଥ ସାହୁ ଓ ନଗେନ୍‌ ନାୟକ ପ୍ରମୁଖ ସାମିଲ୍‌ ହୋଇଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଉକ୍ତ ଅଟୋଟି ନିକଟସ୍ଥ ଏକ ହୋଟେଲ ଭିତରକୁ ପଶି ଯାଉଥିବାବେଳେ ଏହି ଟିମ୍‌ ତାକୁ ଅଟକାଇଥିଲେ। ପରେ ଗାଡ଼ି ଯାଞ୍ଚ କଲାବେଳେ ସେଥିରେ ୨୦ଟି ବସ୍ତାରେ କାଠ କୋଇଲା ଭର୍ତି ହୋଇଥିବା ଦେଖିବାକୁ ମିଳିଥିଲା। ସେମାନେ ଉକ୍ତ ହୋଟେଲକୁ ନିୟମିତ ଏହି ଚୋରା ମାଲ୍‌ ଯୋଗାଉଥିବା ମାନି ଯାଇଥିଲେ। ହୋଟେଲର ତନ୍ଦୁରି ଭାଟି ପାଇଁ ସେମାନେ ଏହି ମାଲ୍‌ ଯୋଗାଉଥିବା ସ୍ୱୀକାର କରିଥିଲେ। ଆଠଗଡ଼ ଓ ଢେଙ୍କାନାଳ ଜଙ୍ଗଲରେ ପ୍ରଚୁର ଗଛ ପୋଡ଼ି ଏହି କୋଇଲା ପ୍ରସ୍ତୁତ କରାଯାଉଛି ବୋଲି ସେମାନଙ୍କଠାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର