୨ ପିଲାଙ୍କ ସହ ଜୀବନ ହାରିଲେ ଗୋଟିଏ ପରିବାରର ୩ ବିବାହିତା ଝିଅ; ୨ ଭଉଣୀ ଥିଲେ ଅନ୍ତଃସତ୍ତ୍ବା

ଯୌତୁକ ନିର୍ଯାତନାର କରୁଣ ପରିଣତି

ଜୟପୁର: ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ରାଜସ୍ଥାନରେ ଗୋଟିଏ ପରିବାରରେ ବାହା ହୋଇଥିବା ୩ ଭଉଣୀ ସେମାନଙ୍କର ୨ଜଣ ପିଲାଙ୍କ ସହ ଆତ୍ମହତ୍ୟା କରିଛନ୍ତି।

ଶନିବାର ସକାଳେ ଜୟପୁରର ଜିଲ୍ଲା ଅନ୍ତର୍ଗତ ଦୁଦୁ ନିକଟରେ ଥିବା ଗୋଟାଏ କୂଅରୁ ପୁଲିସ ସେମାନଙ୍କ ଶବ ଉଦ୍ଧାର କରିଛି।

ପିଲାମାନଙ୍କ ମଧ୍ୟରୁ ଗୋଟିଏ ଥିଲା ୪ ବର୍ଷର ପୁଅ ଓ ଆଉ ଜଣେ ୨୭ ଦିନର କଅଁଳା ପିଲା। ବିଡ଼ମ୍ବନାର କଥା, ମୃତ ଭଉଣୀମାନଙ୍କ ମଧ୍ୟରୁ ୨ଜଣ ଥିଲେ ଅନ୍ତଃସତ୍ତ୍ବା। ୩ ଭଉଣୀ ଦୁଦୁ ଅଞ୍ଚଳ ଅନ୍ତର୍ଗତ ଚପିୟା ଗ୍ରାମରେ ଗୋଟିଏ ପରିବାରର ୩ ଭାଇଙ୍କୁ ବିବାହ କରିଥିଲେ।

ମୃତ ମହିଳାମାନଙ୍କର ବାପଘର ଲୋକେ ଅଭିଯୋଗ କରୁଛନ୍ତି ଯେ, ଯୌତୁକ ନିମନ୍ତେ ଶାଶୂଘର ଲୋକେ ସେମାନଙ୍କୁ ନିୟମିତ ନିର୍ଯାତନା ଦେବା ସହ ମାରଧର କରୁଥିଲେ।

Image Courtesy of NDTV

ସେମାନଙ୍କ ସମ୍ପର୍କୀୟ ଭାଇ ହେମରାଜ ମୀନା କହନ୍ତି: ଯୌତୁକ ନିମନ୍ତେ ମୋ ଭଉଣୀମାନେ ନିୟମିତ ନିର୍ଯାତିତ ହେବା ସହ ମାଡ଼ ଖାଉଥ‌ିଲେ। ମେ ୨୫ ତାରିଖ ଦିନ ସେମାନେ ନିଖୋଜ ହୋଇଯିବା ପରେ ଆମ ଚାରିଆଡ଼େ ଖୋଜାଖୋଜି କଲୁ। ସ୍ଥାନୀୟ ଥାନାରେ ‘ଏଫ୍‌ଆଇଆର୍‌’ ଦେଲୁ। ମହିଳା ହେଲ୍‌ପ୍‌ଲାଇନ୍‌ ଓ ଜାତୀୟ ମହିଳା କମିସନ୍‌ ସହ ଯୋଗାଯୋଗ କରି ମଧ୍ୟ କୌଣସି ସାହାଯ୍ୟ ପାଇଲୁ ନାହିଁ।

ସେମାନେ କୌଣସି ‘ସୁସାଇଡ୍‌ ନୋଟ୍‌’ ଲେଖି ନ ଥିଲେ ମଧ୍ୟ ବାପଘର ଲୋକେ ସବା ସାନଭଉଣୀ କମଳେଶ ହିନ୍ଦୀରେ ଲେଖିଥିବା ଚିଠି ‘ହ୍ବାଟ୍‌ସ୍‌ଆପ୍‌ ଷ୍ଟାଟସ୍‌’ରେ ସେୟାର୍‌ କରିଥିଲେ। ସେଥିରେ କମଳେଶ ଲେଖିଥିଲେ: ଆମେ ଏବେ ଚାଲିଲୁ। ଆନନ୍ଦରେ ରୁହ। ଶାଶୂଘର ଲୋକେ ଆମ ମୃତ୍ୟୁର କାରଣ। ସବୁ ଦିନ ମରିବା ଅପେକ୍ଷା ଥରେ ଚିରଦିନ ପାଇଁ ମରିଯିବା ଶ୍ରେୟସ୍କର। ଆଶା କରୁ, ଆର ଜନ୍ମରେ ଆମେ ତିନିହେଁ ଏକତ୍ର ହେବୁ। ଆମେ ମରିବାକୁ ଚାହୁଁ ନ ଥିଲୁ, କିନ୍ତୁ ଶାଶୂଘର ଲୋକେ ଆମକୁ ନିର୍ଯାତନା ଦେଲେ। ଆମ ମୃତ୍ୟୁ ନିମନ୍ତେ ଆମ ବାପାମାଆଙ୍କୁ ଦୋଷ ଦେବେ ନାହିଁ।

ଗଣମାଧ୍ୟମକୁ ପୁଲିସ କହିଛି ଯେ, ମୃତ ମହିଳାମାନଙ୍କ ସ୍ବାମୀ ଓ ଶାଶୂଘର ଲୋକଙ୍କ ନାମରେ ମାମଲା ରୁଜୁ କରାଯିବା ପରେ ସେମାନଙ୍କୁ ଜେରା କରାଯାଉଛି।

ସମ୍ବନ୍ଧିତ ଖବର