ଖଣ୍ଡଗିରି : ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ତହସିଲ ପକ୍ଷରୁ ତମାଣ୍ଡୋ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇ ବେଆଇନଭାବେ ମାଲ୍ ପରିବହନ କରୁଥିବା ୩ଟି ଟ୍ରକ୍କୁ ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକ ତମାଣ୍ଡୋ ଥାନା ଜିମା ଦିଆଯାଇଛି ଓ ଟ୍ରକଗୁଡ଼ିକ ଉପରେ ଜରିମାନା କିମ୍ବା ମାଲିକମାନଙ୍କ ନାମରେ ମାମଲା ରୁଜୁ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ସ୍ଥାନୀୟ ଏକ ଚୋରା ମୋର୍ମ ଖଣିରେ ଚଢ଼ଉବେଳେ ମାଫିଆମାନେ ଜେସିବି ଲକ୍ କରି ଛାଡ଼ି ପଳାଇବାରୁ ରାଜସ୍ୱ ବିଭାଗ କେବଳ ଜେସିବି ନାଁରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ତମାଣ୍ଡୋ ଅଞ୍ଚଳର ସୁବୁଦ୍ଧିପୁରରେ କିଛି ମାଫିଆ ଚୋରା ମୋରମ ଖଣି ଚଳାଇଥିବା ଅଭିଯୋଗ ହୋଇ ଆସୁଥିଲା। ତେଣୁ ଖୋର୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ୩ ଜଣ ଅତିରିକ୍ତ ତହସିଲଦାରଙ୍କୁ ନେଇ ଗଠିତ ଏକ ଟିମ୍ ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଚୋରା ଖଣିରୁ ମାଫିଆମାନେ ପଳାଇଥିଲେ। କିନ୍ତୁ ଜେସିବିଟି ଲକ୍ କରି ଛାଡ଼ି ଯାଇଥିଲେ। ତେଣୁ ଖଣି ଭିତରୁ ଜେସିବିକୁ ଜବତ କରାଯାଇପାରିନଥିଲା। ତେଣୁ ରେଜିଷ୍ଟ୍ରେସନ୍ ନମ୍ବରକୁ ଆଧାର କରି ଏକ ମାମଲା କରାଯାଇଛି। ସେହିଭଳି ସ୍ଥାନୀୟ ଅଞ୍ଚଳରେ ବାଲି ପରିବହନ କରୁଥିବା ଗୋଟିଏ ଟ୍ରକ ଓ ଚିପ୍ସ ବୋଝେଇ ୨ଟି ଟ୍ରକ୍ ତନଖି କଲାବେଳେ ସେମାନଙ୍କ ପାଖରେ କେ-ଫର୍ମ ନଥିବା ଜଣାପଡ଼ିଥିଲା। ବିନା କେ-ଫର୍ମରେ ମାଲ୍ ପରିବହନ କରୁଥିବାରୁ ସେଗୁଡ଼ିକୁ ଜବତ କରାଯାଇ ତମାଣ୍ଡୋ ଥାନା ଜିମା ଦିଆଯାଇଥିଲା। ଅତିରିକ୍ତ ତହସିଲଦାର ସ୍ନିଗ୍ଧା ଚମ୍ପତିରାୟ, ଇତିଶ୍ରୀ ରାଉତ ଓ ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କ ସହ ରେତଙ୍ଗ ଆର୍ଆଇ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ।