ନୂଆଦିଲ୍ଲୀ: ଦିଲ୍ଲୀର ତିଲକ ନଗରରେ ଥିବା ପାସିଫିକ୍ ମଲରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ମଲରେ ଥିବା ଏସ୍କେଲେଟରର ରେଲିଂରୁ ଖସି ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଶିଶୁର ବୟସ ୩ବର୍ଷ ଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ଉତ୍ତମ ନଗରର କିଛି ମହିଳା ଏକାଠି ହୋଇ ସିନେମା ଦେଖିବାକୁ ପାସିଫିକ୍ ମଲକୁ ଯାଇଥିଲେ। ଉକ୍ତ ମହିଳାମାନେ ସିନେମା ପାଇଁ ଟିକେଟ କାଟିବାରେ ବ୍ୟସ୍ତ ହୋଇଯାଇଥିଲେ।
ଏମାନଙ୍କ ମଧ୍ୟରେ ଥିବା ଜଣେ ମହିଳାଙ୍କ ଶିଶୁ ମଲରେ ଲାଗିଥିବା ଏସ୍କେଲେଟର ରେଲିଂରୁ ଖସିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ଆହତ ଶିଶୁକୁ ମଲ କର୍ମଚାରୀମାନେ ତୁରନ୍ତ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ ।