ସୋସିଆଲ୍‌ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ପାଇଁ ୩ ଯୁବକ ଗିରଫ

ଯାଜପୁର/ଚଣ୍ଡିଖୋଲ୍‌ : ସୋସିଆଲ୍‌ ମେଡ଼ିଆରେ ବିଜେପି ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା ଓ ଶାସକ ଦଳ ମୁଖ୍ୟ ସଚେତନ ତଥା ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଫଟୋକୁ ନେଇ ଅତି ଅଶାଳୀନ ଭାବେ ମନ୍ତବ୍ୟ ଦେଇ ସୋସିଆଲ୍‌ ମେଡ଼ିଆରେ ଭାଇରାଲ କରିଥିବା ୩ ଜଣଙ୍କ କାରନାମା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଯୁବକମାନେ ହେଲେ ରାଧାଦେଈପୁର ପଞ୍ଚାୟତ ବିଲିକଣାର ପବିତ୍ର ସାମଲ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଗ୍ରାମର ବିଶ୍ୱଜିତ ସିଂହ ଓ ବଡ଼ଚଣା ଥାନା ଅନ୍ତର୍ଗତ ବାଟିପଡ଼ା ଗ୍ରାମର ପ୍ରସନ୍ନ ବଳିୟାର ସିଂହ। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସଂଗେ ସଂଗେ ଜାମିନ ମଞ୍ଜୁର ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ବିଜେପିର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନାଙ୍କ ସହିତ ଶାସକ ଦଳ ମୁଖ୍ୟ ସଚେତନ ବଡ଼ଚଣା ବିଧାୟକ ଅମର ଶତପଥୀ ନିମନ୍ତ୍ରିତ ହୋଇ ଯାଇଥିବା ଏକ ସ୍ଥାନରେ ବସିଥିବା ଫଟୋକୁ ସୋସିଆଲ୍‌ ମିଡ଼ିଆରେ ଅତି ଅଶାଳୀନ ମନ୍ତବ୍ୟ ଦେଇ ଛଡ଼ା ଯାଇଛି। ପରେ ପୋଷ୍ଟ ହୋଇଥିବା ଏହି ଫଟୋକୁ ନେଇ ଅନ୍ୟ କେତେକ ଯୁବକ ମଧ୍ୟ ଉଭୟ ନେତାଙ୍କୁ ଆକ୍ଷେପ କରି ଫେସ୍‌ ବୁକ୍‌ରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ସମାଜରେ ନିଜର ପ୍ରତିଷ୍ଠା ଓ ସମ୍ମାନହାନି ନେଇ ବିଜେପି ନେତ୍ରୀ ଶ୍ରୀମତୀ ଜେନା ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ନାମରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର