୩୦ କେଜି ବାର୍‌ହା ମାଂସ ଜବତ: ଜଣେ ଗିରଫ, ଜଣେ ଫେରାର୍‌

ଖଣ୍ଡଗିରି: ଆଜି ରାତି ପ୍ରାୟ ୮ଟା ବେଳେ ଚନ୍ଦକା ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ଜଣେ ଶିକାରୀକୁ ଗିରଫ କରାଯାଇଛି। ସେ ହେଲେ, ଚନ୍ଦକା ଥାନା ସୁନ୍ଦରପୁର ଗାଁର ରାଜୁ ହାଂସା (୪୦)। ତା’ ନିକଟରୁ ପ୍ରାୟ ୩୦ କେଜି ଓଜନର ଅଧାକଟା ବାର୍‌ହା ମାଂସ ଜବତ କରାଯାଇଛି। ଚଢ଼ଉ ବେଳେ ଅନ୍ଧାରରେ ଖସି ଚନ୍ଦକାର ସୁରେନ୍ଦ୍ର ନାଟୁଆ ନାମକ ଅନ୍ୟ ଜଣେ ଶିକାରୀ ଫେରାର୍‌ ହୋଇ ଯାଇଥିବା ଜଣାପଡ଼ିଛି।

ସୂଚନାନୁସାରେ ଆଜି ଦୁଇ ଜଣ ଶିକାରୀ ଚନ୍ଦକା ଅଭୟାରଣ୍ୟରେ ଫାଶ ବସାଇ ବନ୍ୟପ୍ରାଣୀ ଶିକାର କରିବାକୁ ଯାଇଛନ୍ତି ବୋଲି ଡିଏଫ୍‌ଓ କେଦାର କୁମାର ସ୍ୱାଇଁଙ୍କୁ ଖବର ମିଳିଥିଲା। ତେଣୁ ସେ ତୁରନ୍ତ ଉକ୍ତ ଶିକାରୀକୁ ପିଛା କରିବା ପାଇଁ ଫରେଷ୍ଟ ଗାର୍ଡମାନଙ୍କ ଏକ ଟିମ୍‌କୁ ନିର୍ଦେଶ ଦେଇଥିଲେ। ଫରେଷ୍ଟର ପ୍ରଫୁଲ୍ଲ ମହାପାତ୍ର, ସମୀର ବେହେରା, ବିରଜା ଦାସ, ହୃଷିକେଷ ଭୁଜବଳ, ଆଦିତ୍ୟ ହାତୀ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍‌ ସନ୍ଧ୍ୟାରୁ ଦୁଇ ଶିକାରୀଙ୍କୁ ଧରିବା ପାଇଁ ସୁନ୍ଦରପୁର ନିକଟରେ ଛକି ବସିଥିଲା। ଏ ଭିତରେ ଗୋଟିଏ ବାର୍‌ହା ଶିକାରୀଦ୍ୱୟଙ୍କ ଫାଶରେ ପଡ଼ି ସାରିଥିଲା। ସେମାନେ ଉକ୍ତ ବାର୍‌ହାକୁ ଫାଶରେ ମାରି ସାରିବା ପରେ ଜଙ୍ଗଲ ଭିତରୁ ଟେକି ଟେକି ଆଣି ସୁନ୍ଦରପୁର ନିକଟସ୍ଥ ଏକ ଘରୋଇ ଆମ୍ବ ଫାର୍ମ ପାଖରେ କଟାକଟି କରୁଥିଲେ। ଏତିକିବେଳେ ସେମାନେ ଫରେଷ୍ଟ ଗାର୍ଡ ଟିମ୍‌ ହାବୁଡ଼ରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରୁ ସୁରେନ୍ଦ୍ର ଖସି ପଳାଇବାରେ ସକ୍ଷମ ହୋଇଥିଲା। ପୁଲିସ ରାଜୁଠାରୁ ଏକ ବଡ଼ ଛୁରୀ ସମେତ ଦଣ୍ଡି ପଲା ଓ ବଟକରା ଜବତ କରିଛି। ଆସନ୍ତାକାଲି ରାଜୁକୁ କୋର୍ଟଚାଲାଣ କରାଯିବ। ବାର୍‌ହାର ଅଧାକଟା ମାଂସଗୁଡ଼ିକ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର