ସୁଖାଦ୍ୟ ଦେଇ ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିବା ୩୦ ବର୍ଷିୟ ସିରିଏଲ୍‌ ଦୁଷ୍କର୍ମକାରୀ ଗିରଫ

ନୂଆଦିଲ୍ଲୀ: ସୁଖାଦ୍ୟ ଦେଇ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରୁଥିବା କଥା କୁହାଯାଉଥିବା ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ମନୀଷ ଚଢ଼ା ନାମକ ସେ ବ୍ୟକ୍ତି ହେଉଛନ୍ତି ଶକରପୁର ବାସିନ୍ଦା। ମଙ୍ଗଳବାର-ବୁଧବାର ରାତିରେ ତାଙ୍କୁ ଗିରଫ କରାଯାଇଛି।

ଡିସେମ୍ବର ମାସରୁ ପୁଲିସ ତାଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇ ଥିଲା। ସେତେବେଳେ ସେ ଜଣେ ୧୦ ବର୍ଷୀୟ ବାଳିକାକୁ ବିସ୍କୁଟ୍‌ ଦେଇ ତା’ ସହ ଦୁଷ୍କର୍ମ କରିଥିଲେ।

ଝିଅଟି ତାଙ୍କ ଘର ବାହାରେ ଖେଳୁଥିବା ବେଳେ ସେ ତାକୁ ସେ ଟଫି ଦେଖାଇ ଗୋଟିଏ ଘରର ଛାତ ଉପରକୁ ନେଇ ତା’ ସହ ଦୁଷ୍କର୍ମ କରିଥିବା କଥା ପୁଲିସ କହିଛି।

ସେବେଠାରୁ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପ୍ରାୟ ୬୦୦ ସିସିଟିଭି କ୍ୟାମେରା ଯାଞ୍ଚ କରିଛି।

ଦୁଷ୍କର୍ମ କଥା କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି ପୀଡ଼ିତାମାନଙ୍କୁ ଧମକ ଦେଉଥିଲେ ଅଭିଯୁକ୍ତ। ଲୋକଟି ମଦୁଆ, ଜୁଆଡ଼ି ଓ ଚାଇଲ୍‌ଡ୍‌ ପର୍ଣ୍ଣୋଗ୍ରାଫିଖୋର୍‌।

ପଚରା ଉଚୁରା ବେଳେ ଅଭିଯୁକ୍ତ ମାନିଛନ୍ତି ଯେ ପୂର୍ବ ଦିଲ୍ଲୀର ପାଣ୍ଡବ ନଗର, କଲ୍ୟାଣପୁରୀ ଏବଂ ଗାଜିପୁର ଅଞ୍ଚଳରେ ସେ ଅନ୍ୟ ତିନି ଜଣ ବାଳିକାଙ୍କ ସହ ଏମିତି ଦୁଷ୍କର୍ମ କରିଛନ୍ତି।

ପୁଲିସ କହିଛି ଜାନୁଆରି ମାସ ମଝି ଆଡ଼କୁ ଗାଜିପୁରର ଜଣେ ବାଳିକାଙ୍କ ସହ ତାଙ୍କ ପଡ଼ିଶା ଘର ଟେରାସ୍‌ରେ ଦୁଷ୍କର୍ମ କରାଯାଇଥିଲା। ଘଟନା ଅଭିଯୁକ୍ତର ସ୍ୱୀକାରୋକ୍ତି ସହ ମେଳ ଖାଉଥିବା ପୁଲିସ କହିଛି। ତାଙ୍କ ବିରୋଧରେ ପୋକ୍‌ସୋ ଆଇନ୍‌ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର