ଜଣକା ୪୫ ଲକ୍ଷ ଟଙ୍କା ହିସାବରେ ୩୦୦ ଶିଶୁଙ୍କୁ ଆମେରିକୀୟ ଗ୍ରାହକଙ୍କୁ ବିକ୍ରି କରିଥିବା କିଙ୍ଗ୍‌ପିନ୍‌ ଗିରଫ

ମୁମ୍ବାଇ: ଭାରତରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଅନ୍ୟୂନ ୩୦୦ ପିଲା ପଠାଇଥିବା ଏକ ଆନ୍ତର୍ଜାତିକ ପିଲା ଚୋରାଚାଲାଣକାରୀ ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ଗୁଜୁରାଟବାସୀ ରାଜୁଭାଇ ଗାମଲେଓ୍ଵାଲା ଓରଫ ରାଜୁଭାଇ ୨୦୦୭ରେ ଏହି ର‍୍ୟାକେଟ୍‌ ଆରମ୍ଭ କରିଥିଲେ। ପ୍ରତି ପିଲାଙ୍କୁ ୪୫ ଲକ୍ଷ ଟଙ୍କା ବିନିମୟରେ ସେ ଆମେରିକୀୟ ଗରାଖମାନଙ୍କୁ ବିକ୍ରୟ କରୁଥିଲେ। ଚୋରା ଚାଲାଣ ହେଉଥିବା ସେ ପିଲାମାନଙ୍କର ଅବସ୍ଥା କ’ଣ ହୁଏ, ଏବେ ତାହା ସ୍ପଷ୍ଟ ହୋଇ ନାହିଁ। ଏହି ର‍୍ୟାକେଟ୍‌ର କେତେକ ସଦସ୍ୟ ଗତ ମାର୍ଚ ମାସରେ ଗିରଫ ହୋଇଥିଲେ।

୧୧ରୁ ୧୬ ବର୍ଷ ବୟସ୍କ ଏହି ପିଲାମାନେ ବିଶେଷକରି ଗୁଜରାଟର ଦରିଦ୍ର ପରିବାରମାନଙ୍କରୁ ଆସି ଥାଆନ୍ତି। ସେମାନଙ୍କର ଲାଳନପାଳନ କରିବା ଅସମର୍ଥ ପିତାମାତା କିଂବା ଅଭିଭାବକ ସେମାନଙ୍କୁ ବିକ୍ରି କରି ଦିଅନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ଗରାଖଙ୍କ ଠାରୁ ବରାଦ ପାଇଲେ ୫୦ ବର୍ଷିୟ ଗାମ୍‌ଲେଓ୍ଵାଲା ତା’ ଦଳ ଲୋକଙ୍କୁ ନିର୍ଦେଶ ଦିଏ ଗୁଜରାଟର କୌଣସି ଦରିଦ୍ର ପରିବାର ଖୋଜିବାକୁ ଯିଏ ପିଲା ବିକ୍ରୟ କରିବାକୁ ଚାହୁଁଛନ୍ତି। ପିଲାମାନଙ୍କର ପାସ୍‌ପୋର୍ଟ ଭଟାରେ ଦେବାକୁ ଇଚ୍ଛୁକ ପରିବାର ମଧ୍ୟ ଏହି ଗ୍ୟାଙ୍ଗ୍‌ ଖୋଜନ୍ତି। ସେଥିରୁ ଯାହା ପାସ୍‌ପୋର୍ଟର ଫଟୋ ବିକ୍ରି ହେବାକୁ ଥିବା ପିଲାର ଚେହେରା ସହ ମେଳ ଖାଉଥିବା ସେଇଟିକୁ ବଛାଯାଏ।

ତା’ପରେ ସେ ପିଲାକୁ ଯୁକ୍ତରାଷ୍ଟ୍ର ଆମେରିକା ନେବାକୁ ଜଣେ ଲୋକକୁ ଏହି ଗ୍ୟାଙ୍ଗ୍‌ ଟଙ୍କାପଇସା ଦିଅନ୍ତି। ତାହା ପୂର୍ବରୁ ପାସ୍‌ପୋର୍ଟରେ ଥିବା ପିଲାର ଚେହେରା ସହ ଚୋରାଚାଲାଣ ହେଉଥିବା ପିଲାର ଚେହେରା ମେଳ ଖୋଇବାକୁ ଉତ୍ତମ ଭାବେ ମେକ୍‌ଅପ୍‌ କରାଯାଏ। ପିଲା ନେଇ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିବା ଲୋକ ସେଠାରୁ ଫେରିବା ପରେ ପାସ୍‌ପୋର୍ଟଟି ଭଡ଼ା ଦେଇଥିବା ଲୋକକୁ ଫେରାଇ ଦିଆଯାଏ। ପାସ୍‌ପୋର୍ଟଧାରୀଙ୍କ ଅନୁପସ୍ଥିତିରେ କେମିତି ଇମିଗ୍ରେସନ୍‌ ଦ୍ୱାରା ଷ୍ଟାମ୍‌ ବାଡ଼ା ହୁଏ ତାହା ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର