୩୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ

ଖଣ୍ଡଗିରି: ଅବକାରୀ ବିଭାଗ କଟକର ଫ୍ଲାଇଂ ସ୍କ୍ଵାଡ୍‌ ଓ ଭୁବନେଶ୍ୱର ଅବକାରୀ ପୁଲିସ ମଙ୍ଗଳବାର ଶୈଳଶ୍ରୀ ବିହାର ହରେକୃଷ୍ଣନଗର ବସ୍ତିରେ ଚଢ଼ଉ କରି ଗୋଟିଏ ବସ୍ତା (୩୦ କେଜି)ଗଞ୍ଜେଇ ଜବତ କରିବା ସହ କୁଖ୍ୟାତ ବେପାରୀ ଦୁର୍ଯ୍ୟୋଧନ ସାହୁ(୩୫)କୁ ଗିରଫ କରିଛି। ପୁରୀ ଜିଲ୍ଲା ନିମାପଡ଼ା ଗୋପ ନେତପୁର ଗାଁର ଦୁର୍ଯ୍ୟୋଧନ ପ୍ରାୟ ୩ ବର୍ଷ ହେଲା ଏହି ବସ୍ତିରେ ରହି ଗଞ୍ଜେଇ ବେପାର ଚଳାଇ ଆସୁଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷଟଙ୍କାରୁ ଅଧିକ ହେବ।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଫୁଲବାଣୀରୁ ଗଞ୍ଜେଇ ଚାଲାଣ କରି ଦୁର୍ଯ୍ୟୋଧନ ରାଜଧାନୀ ସମତେ ବାଳକାଟି, ପିପିଲି ଓ ବନମାଳିପୁର ଆଦି ଅଞ୍ଚଳରେ ବେପାର କରୁଥିଲା। ମାସକୁ ଥରେ ଦି’ଥର ସେ ବସ୍‌ ଯୋଗେ ଗଞ୍ଜେଇ ଆଣି ବସ୍ତିରେ ରଖୁଥିଲା ଓ ପରେ ବିଭିନ୍ନ ଛୋଟମୋଟ ବେପାରୀଙ୍କୁ ଯୋଗାଉଥିଲା। ଗୋଟିଏ ଥରରେ ସେ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ଲାଭ କରୁଥିଲା ବୋଲି ଜଣାପଡ଼ିଛି। ଦୁର୍ଯ୍ୟୋଧନର ବେପାର ବାବଦରେ କୌଣସି ସୂତ୍ରରୁ ଖବର ପାଇ ଆଜି ଫ୍ଲାଇଂ ସ୍କ୍ଵାଡ୍‌ ଆଇଆଇସି ଶରତଚନ୍ଦ୍ର ଭଂଜ, ଦିବ୍ୟକିଶୋର ଟେଣ୍ଡ୍ୟାଲ୍‌, ଦେବୀପ୍ରଦାସ ଦାସ ଓ ସୁଜିତ୍‌ ମୁଦୁଲି ପ୍ରମୁଖ ସଦଳବଳେ ହରେକୃଷ୍ଣନଗର ବସ୍ତିରେ ଚଢ଼ଉ କରିଥିଲେ। ସକାଳୁ ଅତର୍କିତଭାବେ ଚଢ଼ଉ ହେବାରୁ କେହି ଟେର୍‌ ପାଇ ନଥିଲେ। ତେଣୁ ଦୁର୍ଯ୍ୟୋଧନ ଖସି ପାରି ନଥିଲା। ଏହି ଅବସରରେ ଅବକାରୀ ପୁଲିସ ସ୍ଥାନୀୟ ନୀଳାଦ୍ରି ବିହାର ଅଞ୍ଚଳରୁ ୨ ଜଣ ମଦ ବେପାରୀ ରାବଣ ରାଉତ ଓ ଗଣେଶ ପାତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦ ଲିଟର ମଦ ଜବତ କରିଥିଲା।

ସମ୍ବନ୍ଧିତ ଖବର