ଖଣ୍ଡଗିରି: ବୁଧବାର ରାତିରେ ଦୁର୍ବୃତ୍ତମାନେ ଯାଁଳା ଟେଲିଫୋନ୍ ଏକ୍ସଚେଞ୍ଜରୁ ୩୪ଟି ବ୍ୟାଟେରି ଲୁଟି ନେଇଛନ୍ତି। ଗ୍ୟାସ୍ କଟର ଦ୍ବାରା ଗ୍ରିଲ୍ କାଟିବା ଓ କବାଟ ତାଲା ଭାଙ୍ଗିବା ପରେ ଏକ୍ସଚେଞ୍ଜରେ ଲାଗିଥିବା ସମସ୍ତ ୩୪ଟି ଯାକ ବ୍ୟାଟେରି ଖୋଲି ନେଇଛନ୍ତି। ଏହା ଏକ ସ୍ବତନ୍ତ୍ର ଗ୍ୟାଙ୍ଗ୍ର କାମ ବୋଲି ଅନୁମାନ କରାଯାଉଛି। ଅଭିଯୋଗ ପାଇବା ପରେ ଯାଁଳା ଫାଣ୍ଡି ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିଲେ ବି ଲୁଟେରାମାନଙ୍କ ପତ୍ତା ପାଇନାହିଁ। ଅପରପକ୍ଷେ ବ୍ୟାଟେରି ଚୋରି ହୋଇଯିବା ପରେ ଟେଲିଫୋନ୍ ଏକ୍ସଚେଞ୍ଜ ଅଚଳ ହୋଇପଡ଼ିଛି ଓ ନେଟ୍ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି।
ସୂଚନାନୁସାରେ ଆଜି ସକାଳେ ଲାଇନ୍ମ୍ୟାନ୍ ଏକ୍ସଚେଞ୍ଜକୁ ଆସିବା ପରେ ଘଟଣା ବାବଦରେ ଜଣାପଡ଼ିଥିଲା। କାର୍ଯ୍ୟାଳୟ ବାରଣ୍ଡାର ଗ୍ରିଲ୍ ଗ୍ୟାସ୍ କଟର ଦ୍ବାରା କଟାଯାଇଥିଲା ଓ କଣ୍ଟ୍ରୋଲ ରୁମ୍ର ତାଲା ଭଙ୍ଗା ହୋଇଥିଲା। ଖବର ପାଇ ସହକାରୀ ଯନ୍ତ୍ରୀ ଭୈରବ ଚନ୍ଦ୍ର ମାଝୀ ପହଞ୍ଚିବା ପରେ ଜଣାଗଲା ଯେ ସମସ୍ତ ୩୪ଟି ଯାକ ବ୍ୟାଟେରି ଚୋରି ହୋଇଯାଇଛି। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷ ତଳେ ଏହି ଏକ୍ସଚେଞ୍ଜରୁ ଅନୁରୂପ ଭାବେ ବ୍ୟାଟେରି ଚୋରି ହୋଇଥିଲା। ତେଣୁ ଏକ ରୢାକେଟ୍ ବାରମ୍ବାର ଏହି ଏକ୍ସଚେଞ୍ଜକୁ ଟାର୍ଗେଟ୍ କରୁଥିବା ସନ୍ଦେହ କରାଯାଉଛି। ଗତ କିଛି ଦିନ ତଳେ ବାଲିପାଟଣାରୁ ଏଭଳି ଏକ ରୢାକେଟ୍ ଗିରଫ ହୋଇଥିଲା। ଘରୋଇ କମ୍ପାନିର ଟେଲିକମ୍ ଟାୱାରରେ ବ୍ୟବହୃତ ହୋଇପାରୁଥିବା ଏହିସବୁ ବ୍ୟାଟେରିକୁ ଏକ ସ୍ବତନ୍ତ୍ର ରୢାକେଟ୍ ଚୋରି କରୁଥିବା ସନ୍ଦେହ କରାଯାଉଛି।