ଭୁବନେଶ୍ବର: ରେଳଷ୍ଟେସନ୍‌ରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇ ଦେଇଥିବା ଏକ ଗ୍ୟାଙ୍ଗକୁ ରେଳବାଇ ଥାନା ପୁଲିସ ଠାବ କରିଛି। ପୁଲିସ ଗ୍ୟାଙ୍ଗର ୪ ଲୁଟେରାଙ୍କୁ ଗିରଫ କରିବା ସହ ୬ଟି ମୋବାଇଲ୍ ଫୋନ୍‌ ଓ ୩୮ ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବଳରାମ ପରିଡ଼ା(୨୧), ଗୋବିନ୍ଦପୁର ଅଞ୍ଚଳର ବିଜୟ ସାହାଣୀ(୩୦), ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ପ୍ରଶାନ୍ତ ନାୟକ ଓ ଭଞ୍ଜନଗର ଅଞ୍ଚଳର ପ୍ରଶାନ୍ତ ସାହୁ(୪୯)। ଶୁକ୍ରବାର ବିଳମ୍ବିତ ରାତିରେ ରଜାକ୍‌ ସେଖ୍‌ ନାମକ ଜଣେ ଯାତ୍ରୀ ହାୱଡାରୁ ଆସି ଭୁବନେଶ୍ବରରେ ପହଞ୍ଚି ଥିଲେ। ସେ ପ୍ରତୀକ୍ଷାଳୟରେ ବିଶ୍ରାମ କରୁଥିବା ବେଳେ ବଳରାମ ଓ ବିଜୟ ତାଙ୍କଠାରୁ ସାଢ଼େ୧୧ହଜାର ଟଙ୍କା ଓ ମୋବାଇଲ୍ ଫୋନ୍‌ ନେଇଯାଇଥିଲେ। ସେହିପରି ସେକ୍‌ ଅବ୍‌ଦୁଲ୍‌ ଆକାଶ ନାମକ ଜଣେ ଯାତ୍ରୀ ଶନିବାର ଭୋର ସମୟରେ ଖଡ଼ଗପୁରରୁ ଆସି ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେ ପ୍ଲାଟଫର୍ମରେ ତାଙ୍କ ବନ୍ଧୁଙ୍କୁ ଅପେକ୍ଷା କରିଥିବା ବେଳେ ପ୍ରଶାନ୍ତ ସହୁ ଓ ପ୍ରଶାନ୍ତ ନାୟକ ତାଙ୍କ ବ୍ୟାଗ୍‌ରୁ ୧୬ହଜାର ୨ଶହ ଟଙ୍କା ‌ଓ ମୋବାଇଲ୍‌ ଫୋନ୍‌ ନେଇଯାଇଥିଲେ। ଏନେଇ ଉଭୟ ରଜାକ ଓ ଅବ୍‌ଦୁଲ୍‌ ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।