ଭଣ୍ଡ କିନ୍ନର ଗିରଫ: ଭାଗ୍ୟ ବଦଳାଇଦେବ କହି ଲୁଟୁଥିଲା ସୁନା ଗହଣା

୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଭାଗ୍ୟ ବଦଳାଇବାକୁ କହି ଜଣେ ବୃଦ୍ଧାଙ୍କଠାରୁ ପ୍ରାୟ ତିନି ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଥିବା ଜଣେ ଭଣ୍ଡ କିନ୍ନରକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ନିକଟରୁ ପୁଲିସ ପ୍ରାୟ ତିନି ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି। ତାର ନାଁ ସୌମ୍ୟରଞ୍ଜନ ପ୍ରଧାନ ଓରଫ ରମ୍ଭା ଓରଫ ଉର୍ବଶୀ। ଘର ଅନୁଗୁଳ ରାଣୀକୋଟରେ। ସେ ଜଣେ କିନ୍ନର ବୋଲି ପୁଲିସ କହିଛି। ମିଳିଥିବା ସୂଚନାନୁଯାୟୀ ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜରେ ରହୁଥିବା ରୀତା ପୂଜାରୀ ନାମକ ଜଣେ ବୃଦ୍ଧା ଏହି ଭଣ୍ଡ କିନ୍ନର ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କ ଭାଗ୍ୟ ବଦଳାଇ ଦେବ କହି ସୌମ୍ୟରଞ୍ଜନ ତାଙ୍କ ଘରକୁ ଆସି ପୂଜାପାଠ କରିଥିଲା। ଆଉ ପୂଜା କରିବା ବାହାନାରେ ସେ ବୃଦ୍ଧାଙ୍କୁ ଘରର ସମସ୍ତ ମୂଲ୍ୟବାନ ସମାଗ୍ରୀ ଆଣିବା ପାଇଁ କହିଥିଲା। ବୃଦ୍ଧା ନିଜର ଭାଗ୍ୟ ବଦଳିବା ଆଶାରେ ତାଙ୍କୁ ବିଶ୍ୱାସ କରି ଘରର ସମସ୍ତ ସୁନା ଅଳଙ୍କାର ସହ ମୂଲ୍ୟବାନ ଜିନିଷ ଆଣି ଦେଇଥିଲେ।

ତେବେ ମନ୍ଦ ଉଦ୍ଦେଶ୍ୟ ରଖିଥିବା ସୌମ୍ୟ ସମସ୍ତ ସୁନା ଅଳଙ୍କାରକୁ ଏକ ଢାଳରେ ପୂରାଇ ବୃଦ୍ଧାଙ୍କୁ ଆଖି ବନ୍ଦ କରି ବସିବା ପାଇଁ କହିଥିଲେ। ବୃଦ୍ଧା ଆଖି ବନ୍ଦ କରିବା ପରେ ସୌମ୍ୟ ଅନ୍ୟ ଏକ ଢାଳରେ ରଖିଥିବା ନକଲି ସୁନାକୁ ବୃଦ୍ଧାଙ୍କୁ ଦେଇ କହିଥିଲା ଯେ ଢାଳରେ ବନ୍ଧା ହୋଇଥିବା ଏହି ସୁନାକୁ କିଛି ଦିନ ପରେ ଖୋଲିବ। ନଚେତ ସବୁ ସୁନା ଅଙ୍ଗାର ପାଲଟି ଯିବ । ଏହା କହି ସେ ତାଙ୍କଠାରୁ ମୋଟା ଅଙ୍କର ଦକ୍ଷିଣା ନେଇ ସେଠାରୁ ଚାଲିଯାଇଥିଲା। କିଛି ଦିନ ପରେ ବୃଦ୍ଧା ଜଣକ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ବୁଲି ଯିବା ପାଇଁ ସେହି ଅଳଙ୍କାର କାଢ଼ି ଦେଖିଲା ବେଳକୁ ସେହି ଢାଳରେ ସବୁ ନକଲି ଅଳଙ୍କାର ରହିଛି। ଏହାପରେ ବୃଦ୍ଧା ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ଦିନର ଅନୁସନ୍ଧାନ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଏହି ଭଣ୍ଡ କିନ୍ନର ଜଣକ ଏମିତି ନାମ ପରିବର୍ତ୍ତନ କରି ଅନେକ ଲୋକଙ୍କୁ ଠକିଛି। ତାକୁ ଧରିବାକୁ ପୁଲିସ ଦୀର୍ଘ ଦିନ ହେଲା ଜାଲ ବିଛାଇ ଥିଲା। ପୁଲିସ ଓ ଠକିଥିବା ଲୋକଙ୍କ ନଜରରୁ ବଞ୍ଚିବା ପାଇଁ ସେ ଭୁବନେଶ୍ୱର ଛାଡ଼ି ଚାଲିଯିବାକୁ ଯୋଜନା କରିଥିଲା। କିନ୍ତୁ ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ରାତିରେ ଭଣ୍ଡ କିନ୍ନରକୁ ବିମାନବନ୍ଦରରୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରିବାରୁ ସେ ସବୁ ସତ କଥା ମାନି ଯାଇଥିଲା।

ସମ୍ବନ୍ଧିତ ଖବର