ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳରେ ଲୁଟ୍ପାଟ୍ କରି ଆତଙ୍କ ସୃଷ୍ଟି କରିଥିବା ଏକ ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୩ ଲୁଟେରାଙ୍କୁ ଗିରଫ କରିବା ସହ ପୁଲିସ ସେମାନଙ୍କଠାରୁ ୨୨ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ୍ ଜବତ କରିଛି। ସେମାନେ ହେଲେ ସାଲିଆସାହି ବସ୍ତି ବିକାଶ ପରିଷଦ ଅଞ୍ଚଳର ଗଙ୍ଗା ରେଡ୍ଡୀ ଓରଫ ଗୋବିନ୍ଦା(୩୦), ଲକ୍ଷ୍ମୀନଗରର ଏସ୍ କ୍ରିଷ୍ଣା ରେଡ୍ଡୀ ଓ ଭୋଇସାହି ଅଞ୍ଚଳର ପ୍ରଶାନ୍ତ କୁମାର ମଲ୍ଲୀକ(୩୫)।
ପୁଲିସ ସୂଚନା ମୁତାବକ, ଗତ କିଛିଦିନ ହେବ ଗୋବିନ୍ଦ, କ୍ରିଷ୍ଣା, ପ୍ରଶାନ୍ତ ଏବଂ ସେମାନଙ୍କ ସହଯେଗୀମାନେ ନୂଆପଲ୍ଲୀ ଅଞ୍ଚଳରେ ଲୋକମାନଙ୍କୁ ଆକ୍ରମଣକରି ଲୁଟ୍ାପାଟ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ତେବେ ଗତ ୧୧ତାରିଖ ଦିନ ଏକାମ୍ରଭିଲ୍ଲା ଓ ଜୟଦେବବିହାର ଅଞ୍ଚଳରେ ଗ୍ୟାଙ୍ଗର ଦୁଇ ଲୁଟେରା ଗୋବିନ୍ଦ ଓ କ୍ରିଷ୍ଣାର ଆତଙ୍କରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ହେବା ଦୂରର କଥା ପୁଲିସ ବି ଅଥୟ ହୋଇପଡ଼ିଥିଲା। ଗୋବିନ୍ଦ ଜୟଦେବବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ପଥରରେ ଛେଚି ମୋବାଇଲ୍ ନେଇଯାଇଥିଲେ। ଏଭଳି ଘଟଣା ଘଟିବାର କିଛି କ୍ଷଣ ମଧ୍ୟରେ କ୍ରିଷ୍ଣା ପ୍ରଥମେ ସିଆର୍ପି ଛକ ନିକଟରୁ ଧ୍ରୁବତାରା କୁମାରଙ୍କଠାରୁ ମୋବାଇଲ୍ ନେଇଯାଇଥିଲା। ଏହାପରେ ଏକାମ୍ରଭିଲ୍ଲା ଅଞ୍ଚଳରେ ଜଣେ ଯୁବକଙ୍କୁ ଆକ୍ରମଣ କରି ତାଙ୍କଠାରୁ ମୋବାଇଲ୍ ଲୁଟ୍ କରି ପଳାଉ ଥିଲା। ହେଲେ ସେଠାରେ ଥିବା ଅନ୍ୟଜଣେ ମହିଳା ଲୁଟେରାକୁ କାବୁ କରିନେଇଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ତାକୁ ନିସ୍ତୁକ ମାଡ଼ମାରିବା ସହ ପୁଲିସକୁ ଜଣାଇଥିଲେ। ପୁଲିସ କ୍ରିଷ୍ଣାକୁ ଗିରଫ କରି ଥାନାକୁ ନେଇଥିଲା। ସେହିପରି ପ୍ରଶାନ୍ତ ଇନ୍ଦ୍ରଧନୁ ମାର୍କେଟ୍ରେ ଥିବା ସୁରେଶ ପଣ୍ଡାଙ୍କ ଦୋକାନରୁ ମୋବାଇଲ୍ ନେଇଯାଇଥିଲା। ଲୁଟ୍ପାଟ୍ ନେଇ ସୁରେଶ ଓ ଧ୍ରୁବତାରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହ କ୍ରିଷ୍ଣାକୁ ପଚରାଉଚରା କରୁଥିଲା। ଅଭିଯୁକ୍ତମାନଙ୍କ ଠିକଣା ଠାବ ପରେ ପୁଲିସ ଗୋବିନ୍ଦ ଓ ପ୍ରଶାନ୍ତକୁ ଗିରଫ କରି ଥାନାକୁ ଆଣିଥିଲା। ଆଜି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଗ୍ୟାଙ୍ଗରେ ସାମିଲ୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରିରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/hitesh-lootera-1.jpg)