ବ୍ୟାଙ୍କ ସମ୍ମୁଖରୁ ୪.୪୦ ଲକ୍ଷ ଟଙ୍କା ଚୋରି, ଡ୍ରାଇଭର ଉପରେ ପୁଲିସର ସନ୍ଦେହ

ଭୁବନେଶ୍ବର: ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟାବେଳେ ଖାରବେଳନଗର ଥାନା ଅଧୀନ ସତ୍ୟନଗର ଆକ୍ସିସ ବ୍ୟାଙ୍କ ସମ୍ମୁଖରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୪ ଲକ୍ଷ ୪୦ ହଜାର ଟଙ୍କା ଚୋରି ହୋଇ ଯାଇଛି। ଏ ନେଇ ଅଭିଯୋଗକାରୀ ଅଭଦେଶ କୁମାର ହୋଲାନି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ବ୍ୟା‌ଙ୍କରେ ଲାଗିଥିବା ସିସିଟିଭି ଅନୁଧ୍ୟାନ କରିବା ପରେ ପୁଲିସ କାର ଚାଳକ ଉପରେ ସନ୍ଦେହ କରୁଛି। ମିଳିଥିବା ସୂଚନା ମୁତାବକ, ହଂସପାଳରେ ରହୁଥିବା ଅଭଦେଶ ଶ୍ରୀୟା ଛକରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ୪ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗ୍‌ରେ ଭର୍ତି କରି କାର ପଛପଟ ସିଟ୍‌ରେ ରଖିଥିଲେ। ଅଭଦେଶ ଏହା ପରେ ସତ୍ୟନଗର ଆକ୍ସିସ ବ୍ୟାଙ୍କ ନିକଟକୁ ଆସିଥିଲେ। ସେଠାରୁ ସେ କୌଣସି କାମରେ ବ୍ୟାଙ୍କ ଭିତରକୁ ଯାଇଥିଲେ। ଏହି ସମୟରେ କାର ଚାଳକ ଭିତରେ ବସି ରହିଥିଲେ। ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଆସି କାର ନିକଟରେ ବାଇକ ରଖିଥିଲେ। ବାଇକ୍ ପଛରେ ବସିଥିବା ଯୁବକ ଜଣକ କାର ଡୋର୍‌ ଖୋଲି ଟଙ୍କା ଭର୍ତି ବ୍ୟାଗ୍ ଧରି ସତ୍ୟନଗର ଓଭରବ୍ରିଜ୍‌ ଆଡ କ୍ଷୀପ୍ର ବେଗରେ ଚାଲି ଯାଇଥିଲେ। ତେବେ କାର ଭିତରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ନେବାବେଳେ ଡ୍ରାଇଭର୍‌ ଜାଣି ନପାରିବା ଘଟଣାକୁ ପୁଲିସ ସହଜରେ ବିଶ୍ବାସ କରି ପାରୁନାହିଁ। ପୁଲିସ କାର ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରିବା‌‌ବେଳେ ତା’ର କଥାବାର୍ତାରେ ମଧ୍ୟ କୌଣସି ତାଳମେଳ ରହୁନାହିଁ। ତେବେ ରାଜଧାନୀରେ କଡ଼ା ପା‌ଟ୍ରୋଲିଂ ବ୍ୟବସ୍ଥା ସତ୍ତ୍ବେ ସତ୍ୟନଗର ଆକ୍ସିସ ବ୍ୟାଙ୍କ ଭଳି ଏକ ପ୍ରମୁଖ ସ୍ଥାନରେ ଏଭଳି ଅଘଟଣ ଘଟିବା ପୁଲିସର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏ ସମ୍ପର୍କରେ ଖାରବେଳନଗର ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁ କହିଛନ୍ତି, ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଦୁର୍ବୃତ୍ତ ଦ୍ବୟଙ୍କୁ ପୁଲିସ ସିସି କ୍ୟାମେରାରୁ ଚିହ୍ନଟ କରି ସାରିଛି। ଖୁବ ଶୀଘ୍ର ସେମାନେ ଗିରଫ ହେବେ।

ସମ୍ବନ୍ଧିତ ଖବର