ମୁଖିଆ ପଦୁ ଓ ୪ ସହଯୋଗୀ ଗିରଫ, ୨୪ ବାଇକ୍‌ ଜବତ

ନକଲି ସାମ୍ବାଦିକ ପରିଚୟରେ ବାଇକ୍‌ ଲୁଟ୍‌ ମାମଲା

ଖଣ୍ଡଗିରି: ସାମ୍ବାଦିକ ପରିଚୟରେ ବରମୁଣ୍ଡାରେ ଭଡ଼ାରେ ରହି ରୁଚିକା ମାର୍କେଟ୍‌ରୁ ବାଇକ୍‌ ଲୁଟ୍ କରୁଥିବା ଜଣେ ଧୂର୍ତ୍ତକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା, ଖୋର୍ଧା ଟାଙ୍ଗୀ ଥାନା ସିଙ୍ଗରମା ଅଞ୍ଚଳର ପତିତପାବନ ସିଂହ ଓରଫ ପଦୁ(୨୩)। ଚୋରା ବାଇକ୍‌ ବିକ୍ରିରେ ପଦୁକୁ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ, ନୟାଗଡ଼ ଚାନ୍ଦପୁର ଥାନା ବେଣ୍ଟ ଅଞ୍ଚଳର କାଶୀନାଥ ଦାସ ଓରଫ କାଶିଆ, ମନୋରଂଜନ ଦାସ ଓରଫ ବୁଦ୍ଧିଆ(୨୩), ବସନ୍ତ ମାର୍ଥା ଓରଫ ବସୁ(୨୧) ଓ ଖୋର୍ଧା ନିରାକାରପୁର ହରିପୁରର ସନ୍ତୋଷ ମାଝୀ(୨୫)। ଜବତ ମୋଟ୍‌ ୨୪ ବାଇକ୍‌ ମଧ୍ୟରୁ ପଦୁ ନିକଟରୁ ୮ଟି ଓ ଅନ୍ୟ ୧୬ଟି ଉକ୍ତ ୪ ସହଯୋଗୀମାନଙ୍କ ନିକଟରୁ ପୁଲିସ ଜବତ କରିଛି।

କେମିତି ଧରାପଡ଼ିଲେ
ଗତ ୨୭ ତାରିଖ ଦିନ ବରମୁଣ୍ଡା ଶବର ସାହିର ମୁକେଶ ବେହେରା ନାମକ ଜଣେ ବ୍ୟକ୍ତି ରୁଚିକା ମାର୍କେଟ୍‌ରେ ମାର୍କେଟିଂ କରୁଥିବା ବେଳେ ପଦୁ ତାଙ୍କ ବାଇକ୍‌(ଓଡି୩୩ଜି-୩୭୫୯)କୁ ଧରି ଚମ୍ପଟ ମାରୁଥିଲା। ପୂର୍ବରୁ ଏହି ମାର୍କେଟ୍‌ରୁ ବାରମ୍ବାର ବାଇକ୍‌ ଚୋରି ହେଉଥିବାରୁ ପୁଲିସ ପଦୁ ଉପରେ ନଜର ରଖିଥିଲା। ପଦୁ ବାଇକ୍‌ ଧରି ଯିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା। କିନ୍ତୁ ସେ ନିଜକୁ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଇ ପୁଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲା। ତେଣୁ ପୁଲିସ ତାକୁ ଛାଡ଼ି ଦେଇଥିଲା। ପରେ ପୁଲିସ ତା’ ଭଡ଼ା ଘରେ ଚଢ଼ଉ କରି ୮ଟି ବାଇକ୍‌ ଠାବ କରିଥିଲା। ଥାନାକୁ ଆଣି ପଚରାଉଚରା କରିବା ପରେ ପଦୁ ସତ ମାନିଥିଲା ଓ ଅନ୍ୟ ୧୬ଟି ବାଇକ୍‌ ସମ୍ପର୍କରେ କହିଥିଲା। ପଦୁ ସୂଚନାକୁ ଆଧାର କରି ଖଣ୍ଡଗିରି ଥାନାର ଏକ ସ୍ବତନ୍ତ୍ର ଟିମ୍‌ ୪ ଜଣଙ୍କ ଘରେ ଚଢ଼ଉ କରି ସବୁଗୁଡ଼ିକ ବାଇକ୍‌ ଜବତ କରିଥିଲା।

ରାଜମିସ୍ତ୍ରିରୁ ବାଇକ୍ ଚୋର
ପୂର୍ବରୁ ସାଲିଆ ସାହିରେ ରହୁଥିବା ବେଳେ ପଦୁ ରାଜମିସ୍ତ୍ରି ଭାବେ କାମ କରୁଥିଲା। କିନ୍ତୁ ପରେ ସେ ଲୁଟେରାମାନଙ୍କଠାରୁ ଚୋରା ବାଇକ୍‌ ନେଇ ବିକିଲା ଓ ବେଶ୍ ଲାଭବାନ ହେଲା। ତେଣୁ ଧୀରେ ଧୀରେ ସେ ରାଜମିସ୍ତ୍ରି କାମ ବନ୍ଦ କରି ଏହି ଧନ୍ଦାକୁ ଆପଣେଇଲା। ପ୍ରତି ହାଟ ପାଳିରେ ସେ ଯେମିତି ହେଲେ ଗୋଟିଏ ବାଇକ୍‌ ଉଠାଉଥିଲା। ରୁଚିକା ମାର୍କେଟ୍‌ ଭଳି ସାପ୍ତାହିକ ହାଟମାନଙ୍କୁ ଟାର୍ଗେଟ୍‌ କରି ସେ ଗହଳି ଭିତରୁ ବାଇକ୍ ନେଇ ଛୁ’ ମାରୁଥିଲା। ପ୍ରାୟ ୩ ବର୍ଷ ହେଲା ଏହି ଧନ୍ଦା କରୁଥିବା ପଦୁ ନିହାତି ୧୫୦ ବାଇକ୍‌ ଚୋରି କରିଥିବା ନେଇ ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର