ଖଣ୍ଡା ଦେଖାଇ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ୪ ଗିରଫ

ଖଣ୍ଡଗିରି: ଖଣ୍ଡା ଦେଖାଇ ଯୁବତୀମାନଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଭୋଗରାଇ ଅଞ୍ଚଳର ବିଜୟ ନନ୍ଦନ ଡଗର(୨୪), ଚନ୍ଦକା କୁଜିମହୁଲର ସଂଜୟ ବେହେରା(୩୦), ଭରତପୁରର ସୁଦୀପ ଦାସ(୨୧) ଓ ଡୁମୁଡୁମା ସୁବାସନଗର ବସ୍ତିର ଲକ୍ଷ୍ମୀକାନ୍ତ ପ୍ରଧାନ(୨୧)। ପୁଲିସ ସୂଚନାନୁସାରେ ରବିବାର ସନ୍ଧ୍ୟା ପ୍ରାୟ ୭ଟାବେେଳେ ଜାଗମରା ଅଞ୍ଚଳର ୩ ଜଣ ଯୁବତୀ ଏକ ସ୍କୁଟି ଯୋଗେ ଡୁମୁଡୁମା ମହାବୀର ମନ୍ଦିରକୁ ଯାଇଥିଲେ। ମନ୍ଦିରରୁ ଫେରିବାବେଳେ ସେମାନଙ୍କୁ ପିଛା କରୁଥିବା ଅଭିଯୁକ୍ତମାନେ ବାଟରେ ଏକ ନିଛାଟିଆ ସ୍ଥାନ ଦେଖି ପ୍ରଥମେ ସେମାନଙ୍କୁ କମେଣ୍ଟ କରିଥିଲେ। ଯୁବତୀମାନେ ସେମାନଙ୍କୁ ଡରି ନଯାଇ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଗୋଇଠା ମାରି ସ୍କୁଟିକୁ ଠେଲି ଦେଇ ତଳେ ପକାଇ ଦେଇଥିଲେ। ତଥାପି ଯୁବତୀମାନେ ସେମାନଙ୍କୁ ମୁହଁତୋଡ଼ ଜବାବ୍ ଦେବାକୁ ଯାଇ ହାତାହାତି ହେବାକୁ ପ୍ରସ୍ତୁତ ହେବା ଦେଖି ଅଭିଯୁକ୍ତମାନେ କାର୍‌ରୁ ଏକ ଖଣ୍ଡା ବାହାର କରି ସେମାନଙ୍କୁ ଗୋଡ଼ାଇଥିଲେ। ଭୟରେ ଯୁବତୀମାନେ ପଛକୁ ଘୁଞ୍ଚି ଯାଉଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଠେଲାପେଲା କରି ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଏତିକିବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ କାବୁ କରିନେଇ ବହେ ଛେଚି ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର