ଏରସମାରେ କରୋନା ଗୁଜବ, ପୂର୍ବତନ ସମିତି ଅଧ୍ୟକ୍ଷ, ସରପଞ୍ଚଙ୍କ ସମେତ ୪ ଗିରଫ

ଜଗତସିଂହପୁର/ଏରସମା: ଜଗତସିଂହପୁର ଜିଲ୍ଲା ଏରସମାରେ କରୋନା ଗୁଜବ ସୃଷ୍ଟି କରିଥିବା ଜଣେ ସରପଞ୍ଚ ଓ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ଜଣେ ବ୍ୟକ୍ତିକୁ କରୋନା ସଂକ୍ରମଣ ହୋଇଥିବା ନେଇ ଏକ ଗୁଜବ ଘୂରି ବୁଲିଥିଲା। ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳର ଟୋକନ୍‌ ଓ ପ୍ରେସ୍‌କ୍ରିପସନ୍‌ ଫଟୋ କପି ସହ ହ୍ବାଟସପ୍‌ରେ ଏହା ଭାଇରାଲ୍ ହୋଇଥିଲା। ଏଥିରେ ଜଣେ ଯୁବକ ସମ୍ପୃକ୍ତ, ଯିଏ କି ଏବେ ବି ଫେରାର୍‌ ଅଛି।

ଏହି ଗୁଜବ ଚାରିଆଡ଼େ ଖେଳିଗଲା ପରେ ପୁଲିସ୍‌ ଗତକାଲି ତନାଘନା ଆରମ୍ଭ କରିଥିଲା। ଆଜି ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଏରସମା ବ୍ଲକ୍‌ ଜାନକାଦେଇପୁର ପଞ୍ଚାୟତ ସରପଞ୍ଚ ଦୀପକ ଦାସ, ଏରସମା ବ୍ଲକ୍‌ର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ସେଠୀ, ସିଆ ଗ୍ରାମର ଉମେଶ ରାଉତ ଓ ଏରସମାର ଜ୍ୟୋତି ପ୍ରକାଶ ସାହୁ ଓରଫ ରଙ୍ଗାକୁ ଗିରଫ କରି କୋର୍ଟଚାଲାଣ କରିଛି। ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସେଠୀ ଏହି ବାର୍ତାଟିକୁ ବିଜେଡ଼ିର ଏକ ଗ୍ରୁପ୍‌ରେ ପୋଷ୍ପ କରିବା ପରେ ବିଭିନ୍ନ ବ୍ୟକ୍ତି ଏହାକୁ ସେୟାର୍‌ କରିଥିଲେ ବୋଲି ଏରସମା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝୀଙ୍କ ଠାରୁ ଜଣାପଡ଼ିଛି। ସେହିପରି, ପାରାଦୀପର ପିଆଇସିଟିର ଜଣେ କର୍ମଚାରୀଙ୍କୁ କରୋନା ହୋଇଥିବା ନେଇ ଫେସ୍‌ବୁକ୍‌ରେ ଏକ ସୂଚନା ପୋଷ୍ଟ କରାଯାଇଥିଲା। ଏ ନେଇ ପାରାଦୀପ ଆଦର୍ଶ ଥାନାରେ ଏକ ଏତଲା ଦିଆଯାଇଥିଲା। ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବା ଯୁବକ ଜଣକ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର