ଲକ୍‌ଡାଉନ୍‌ ସମୟରେ ଆସାମରେ କଲରାପତ୍ରିଆ ମାରି ମାଂସ ଖାଇଥିବା ଅଭିଯୋଗରେ ଚାରି ଗିରଫ

ଗୌହାଟୀ: ଗୋଟାଏ କଲରାପତ୍ରିଆ ମାରି ତା’ର ମାଂସ ଖାଇଥିବା ଅଭିଯୋଗରେ ଆସାମର ଗୋଲଘାଟ ଜିଲ୍ଲାରେ ପୁଲିସ ଚାରିଜଣଙ୍କୁ ଗିରଫ କରିଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଗୋଲଘାଟର ମଣ୍ଡଳୀୟ ବନ୍ୟ ଅଧିକାରୀ ଭାସ୍କର ଡେକା କହିଛନ୍ତି, କଲରାପତ୍ରିଆଟିକୁ ଏପ୍ରିଲ୍ ୧୭ ତାରିଖରେ ହତ୍ୟା କରାଯାଇଥିଲା। ଯେଉଁମାନେ ତାକୁ ମାରିଛନ୍ତି, ସେମାନେ ତା’ର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି। ଏପ୍ରିଲ୍ ୧୮ ତାରିଖ ଦିନ ସାମାଜିକ ଗଣମାଧ୍ୟମରେ ସେ ଭିଡିଓ ଦେଖିବା ପରେ ଆମେ ତା’ର ମୃତଦେହ ଉଦ୍ଧାର କଲୁ।

Image Source: Firstpost

ଜନ୍ତୁଟିର ପଛ ଦୁଇଗୋଡ଼ କାଟି ନିଆଯାଇଥିଲା। ତା’ର ଛାଲ, ଲାଞ୍ଜ, ଥାବା ଓ ଦାନ୍ତ ମଧ୍ୟ ଦିଶୁ ନ ଥିଲା। ଅହୋମ ଗାଁର ଜଙ୍ଗଲିଆ ଅଞ୍ଚଳରେ କଲରାପତ୍ରିଆର ମୃତଦେହଟିକୁ ପୋତି ଦିଆଯାଇଥିଲା।

ଭିଡିଓ କ୍ଲିପ୍‌କୁ ଆଧାର କରି ବନ ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପରେ ଗୁରୁବାର ଦିନ ସେମାନଙ୍କୁ ଗିରଫ କରିଛନ୍ତି। ସେମାନେ ସମସ୍ତେ ଗୋଟିଏ ଗାଁର ବାସିନ୍ଦା। ପଚରା ଉଚୁରା ବେଳେ ଅଭିଯୁକ୍ତମାନେ କହିଛନ୍ତି ଯେ ଗାଁ ଲୋକେ ସେ କଲରାପତ୍ରିଆର ମାଂସ ଖାଇଛନ୍ତି। କିନ୍ତୁ, ତା’ର କୌଣସି ପ୍ରମାଣିକ ପ୍ରମାଣ ମିଳିନାହିଁ।

ଏହାଛଡ଼ା ଲକ୍‌ଡାଉନ୍ ସମୟରେ ଆସାମରେ ଆଉ ତିନିଟି କଲରାପତ୍ରିଆ, ଗୋଟାଏ ବନ୍ୟ ମାର୍ଜାର ଏବଂ ଗୋଟାଏ ହାତୀକୁ ମଧ୍ୟ ହତ୍ୟା କରାଯାଇଛି।

 

ସମ୍ବନ୍ଧିତ ଖବର