ଖଣ୍ଡଗିରି : ଚନ୍ଦକା ପାରିସ୍ ବେକେରି ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ୧୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁର୍ଦାନ୍ତ ଚନ୍ଦନ ଗ୍ୟାଙ୍ଗ୍କୁ କମିସନରେଟ୍ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗ୍ୟାଙ୍ଗ ଲିଡର୍ କଟକ ଆଠଗଡ଼ ପାତଳିଗାଁ କୁଲେଇଲର ଚନ୍ଦନ ଦେହୁରୀ(୨୮) ସହ ଅନ୍ୟ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ପାଟପୁର ଥାନା ପାଣ୍ଡୁରାଖାଲିର ସୁଶାନ୍ତ ବେହେରା(୨୮), ପୁରୀ ଅସ୍ତରଙ୍ଗ ଥାନା ବେଗୁନିଆବସ୍ତର ରାଜା ସ୍ୱାଇଁ(୨୧) ଓ ଗଞ୍ଜାମ ଖଲ୍ଲିକୋଟ ଲକ୍ଷ୍ମୀନାରାୟଣ ପୁରର ସିକନ୍ ମହାରଣା(୨୧)। ଏହି ଗ୍ୟାଙ୍ଗ୍ର ଅନ୍ୟ ପ୍ରାୟ ୪ ଜଣ ଫେରାର୍ ଅଛନ୍ତି। ପୁଲିସ ଏମାନଙ୍କଠାରୁ ଏକ ଲକ୍ଷ ୮ ହଜାର ଟଙ୍କା ନଗଦ ଆକାରରେ ଜବତ କରିଥିବାବେଳେ ୩୦ ହଜାର ଟଙ୍କାର ନୂଆ ଜିନ୍ସ ପ୍ୟାଣ୍ଟ୍, ଗୋଟିଏ ନୂଆ ହୋଣ୍ଡା ଆକ୍ଟିଭା ବାଇକ୍ ଓ ଲୁଟ୍ ସମୟରେ ବ୍ୟବହୃତ ହୋଇଥିବା ପଲସର୍ ଓ ଗ୍ଲାମର ବାଇକ୍ ଜବତ କରିଛି। ଲୁଟ୍ ପରେ ଭାଗ ବଣ୍ଟା ହୋଇଥିବା ଅନ୍ୟ ଟଙ୍କା ସବୁ ସେମାନଙ୍କ ପାଖରେ ରହିଥିବା ଜଣାପଡ଼ିଛି।
୧୦ ତାରିଖ ଅପରାହ୍ଣ ପ୍ରାୟ ୪ଟାବେଳେ ପାରିସ୍ ବେକେରିର ମ୍ୟାନେଜର ଶିବାଶିଷ ମହାନ୍ତି ଓ ତାଙ୍କ ସହକର୍ମୀ କମଳେନ୍ଦୁ ମୁଦୁଲି କଟକରୁ ୧୩ ଲକ୍ଷ ଟଙ୍କା ନେଇ କମ୍ପାନିକୁ ଫେରୁଥିଲେ। ସେଦିନ କମ୍ପାନି କର୍ମଚାରୀମାନଙ୍କୁ ଦରମା ଦିଆଯିବାର ଥିଲା। ସେମାନେ ବାରଙ୍ଗ ବଜାର ପାର୍ ହୋଇ ବାଟ ଭୁଆସୁଣୀ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଚନ୍ଦନ ଗ୍ୟାଙ୍ଗ୍ ଘେରି ଯାଇ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଭର୍ତି ବ୍ୟାଗ୍ ଲୁଟି ନେଇଥିଲେ। ପରେ ମ୍ୟାନେଜର ଶ୍ରୀ ମହାନ୍ତି ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ତୁରନ୍ତ ଲୁଟେରାମାନଙ୍କୁ ଧରିବା ପାଇଁ ଚନ୍ଦକା ଥାନା ପୁଲିସ ସହ ସ୍ପେସାଲ ସ୍କ୍ଵାଡ୍ ଓ କ୍ୟୁଏଟି ଟିମ୍କୁ ନିୟୋଜିତ କରିଥିଲେ।
ଚନ୍ଦନ ଡକାୟତି ଓ ହତ୍ୟା ମାମଲାରେ ଜଡ଼ିତ
ଚନ୍ଦନ ଦେହୁରୀ ଜଣେ ହାର୍ଡକୋର କ୍ରିମିନାଲ୍। ଡକାୟତି ବେଳେ ସାମାନ୍ୟ ସମସ୍ୟା ହେଲେ ସେ ହତ୍ୟା କରିବାକୁ ପଛାଇ ନଥାଏ। ୨୦୧୨ରେ ସେ ଗଞ୍ଜାମ ଦିଗପହଣ୍ଡିରେ ଏକ ଡକାୟତି କଲାବେଳେ ଜଣଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଜେଲ୍ ଯାଇ ପରେ ଜାମିନ୍ରେ ଆସିଥିଲା। ଆଠଗଡ଼, ଗୁରୁଡ଼ିଝାଟିଆ, ଖୁଣ୍ଟୁଣି, ନରସିଂହପୁର ଆଦି ଥାନାରେ ତା’ ନାଁରେ ବହୁ ଲୁଟ୍ ଓ ରାହାଜାନୀ ମାମଲା ରହିଛି। ଚନ୍ଦନ ପୂର୍ବରୁ ଗଞ୍ଜାମ ଜିଲ୍ଲାର କିଛି କୁଖ୍ୟାତ୍ ଡକାୟତମାନଙ୍କ ସହ ପରିଚିତ ଥିଲା। ଜେଲ୍ରେ ଥିବାବେଳେ ଅସ୍ତରଙ୍ଗ ବେଗୁନିଆବସ୍ତର ରାଜା ସ୍ୱାଇଁ ସହ ପରିଚିତ ହୋଇ ଏହି ନୂଆ ଗ୍ୟାଙ୍ଗ୍ ଗଢ଼ିଥିଲା।
ଗାଁରେ ଚାଲିଥିଲା ଲୁଟେରାଙ୍କ ନେତାଗିରି
ଚନ୍ଦନ ଓ ସିକନ୍ ଗାଁରେ ନେତାଗିରି କରୁଥିଲେ। ଲୁଟ୍ ଟଙ୍କାରୁ ସେମାନେ ଗାଁରେ କିଛି କିଛି ବ୍ୟୟ କରିଛନ୍ତି। ଚନ୍ଦନ ଦୀପାବଳି ପାଇଁ ଗାଁରେ ଗରିବ ଯୁବକମାନଙ୍କୁ ନୂଆ ପ୍ୟାଣ୍ଟ୍ ସାର୍ଟ ବାଣ୍ଟିଥିଲା। ସେହିଭଳି ସିକନ୍ ଗାଁରେ ଚାଲିଥିବା ଅଷ୍ଟପ୍ରହର ନାମଯଜ୍ଞରେ ପ୍ରସାଦ ସେବନ ବାବଦରେ କିଛି ଟଙ୍କା ଖର୍ଚ୍ଚ କରିଥିଲା। ପ୍ରାପ୍ତ ସୂଚନାନୁସାରେ ଚନ୍ଦନ ଗିରଫ ହେବା ପରେ ଗାଁର ଗରିବ ଯୁବକମାନେ ତା’ ଘରେ ନୂଆ ପ୍ୟାଣ୍ଟ ସାର୍ଟ ଫିଙ୍ଗି ଦେଇଛନ୍ତି।
ଫିକା ପଡ଼ିଗଲା ଦୀପାବଳି
ଦୀପାବଳି ପୂର୍ବରୁ ଚନ୍ଦନ ଗ୍ୟାଙ୍ଗ୍ ଏକ ବଡ଼ ଶିକାର କରି ସଫଳ ହୋଇଥିଲେ। ଦୀପାବଳି ଖର୍ଚ୍ଚ ପାଇଁ ୧୩ ଲକ୍ଷ ଟଙ୍କା ଭଳି ବଡ଼ ମାଲ୍କୁ ନେଇ ସେମାନେ ଭଲ ଭଲ ଯୋଜନା ପ୍ରସ୍ତୁତ କରିଥିିଲେ। ଘର ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ଭଲ ଭଲ ଦାମୀ ପୋଷାକପତ୍ର କିଣା ସରିଥିଲା। ଚନ୍ଦନ ତ ଗାଁରେ ନୂଆ ପୋଷାକ ବାଣ୍ଟି ସାରିଥିଲା ଓ ଆଉ କିଛି ବାଣ୍ଟିବା ପାଇଁ ରଖିଥିଲା। ରାଜାସ୍ୱାଇଁ ତା ପ୍ରେମିକାକୁ ଉପହାର ଦେବା ପାଇଁ ହୋଣ୍ଡା ଆକ୍ଟିଭା କିଣିଥିଲା। କିନ୍ତୁ କମିସନରେଟ୍ ପୁଲିସ ପାଇଁ ଫସର ଫାଟିଗଲା।
କେମିତି ଧରାପଡ଼ିଲେ ଲୁଟେରା
ପ୍ରଥମରୁ ଏହି ଲୁଟ୍ରେ କମ୍ପାନିର କୌଣସି କର୍ମଚାରୀଙ୍କ ହାତ ଥିବା ପୁଲିସ ସନ୍ଦେହ କରିଥିଲା। ଲୁଟ୍ର ତରିକାରୁ ହିଁ ଏହା ସ୍ପଷ୍ଟ ଜଣାପଡ଼ୁଥିଲା। ଦରମା ଦିନ ଏତେ ପରିମାଣର ଟଙ୍କା କେଉଁ ବାଟ ଦେଇ କେମିତି ଆସେ ତାହା କେବଳ କୌଣସି କର୍ମଚାରୀଙ୍କୁ ହିଁ ଜଣା। ତେଣୁ ପୁଲିସ ଟିମ୍ କମ୍ପାନିର କର୍ମଚାରୀମାନଙ୍କୁ ଘନଘନ ପଚରାଉଚରା କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ସୁଶାନ୍ତ ବେହେରା ଗତ କିଛି ଦିନ ହେଲା କମ୍ପାନିରୁ ତଡ଼ା ଖାଇଛି। ତେଣୁ ପୁଲିସ ଟିମ୍ ସୁଶାନ୍ତ ଉପରେ ନଜର ରଖି ଗଞ୍ଜାମରେ ଚଢ଼ଉ କରିଥିଲା। ସୁଶାନ୍ତକୁ ଧରିବା ପରେ ପୁଲିସକୁ ଏହି ବଡ଼ ସଫଳତା ମିଳି ଯାଇଥିଲା। ସୁଶାନ୍ତଠାରୁ କମ୍ପାନିର ଟଙ୍କା କାରବାରର ସମସ୍ତ ସୂଚନା ପାଇ ଚନ୍ଦନ ଗ୍ୟାଙ୍ଗ୍ ଘଟଣାଦିନ ଲୁଟ୍ କରିବାକୁ ଯୋଜନା କରିଥିଲେ। ବାରଙ୍ଗ ବଜାରରେ ମ୍ୟାନେଜର ଶ୍ରୀ ମହାନ୍ତିଙ୍କୁ ଜଗି ବସିଥିଲେ। ଘଟଣା ସମୟରେ ସୁଶାନ୍ତ ବି ଚନ୍ଦନ ଗ୍ୟାଙ୍ଗ୍ ସହ ଥିଲା। ଚିହ୍ନା ପଡ଼ିଯିବା ଭୟରେ ସେମାନେ ମୁହଁରେ ରୁମାଲ୍ ବାନ୍ଧି ପକାଇଥିଲେ।